ଦେବଗଡ଼ ବିଧାନସଭା ନିର୍ବାଚନ ଆସନ : ବିଜେଡି ଖେଳିବ ମହିଳା କାର୍ଡ?

ଦେବଗଡ଼, (ଶକ୍ତିସୌରଭ ନନ୍ଦ): ଦେବଗଡ଼ ବିଧାନ ଆସନ ପାଇଁ କିଏ କେଉଁ ଦଳରୁ ଟିକେଟ୍ ହାତେଇବ ବିଶେଷ କରି ବିଜେଡି ଟିକେଟ୍ କାହା ହାତକୁ ଯିବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିଜେପି ବିଧାୟକ ତଥା ରାଜପରିବାରର ନିତେଶ ଗଂ‌ଗଦେବ ଓ ରାଣୀ ଅରୁନ୍ଧତୀଙ୍କ ଭୂମିକାକୁ ଭୋଟର ଅେପକ୍ଷା କରିଛନ୍ତି। ବିଜେପି ଟିକେଟ୍‌ରେ ପୂର୍ବରୁ ଦୁଇ ଥର ବିଧାୟକ ଥିବା ସୁବାସ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରେ ଟିକେଟ ପାଇଁ ଆଶାୟୀ ନେତାଙ୍କ ତାଲିକା ବଢ଼ି ବଢ଼ି ଚାଲିଛି। ଏଥିସହ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଓ ଅନ୍ତର୍ଦ୍ୱନ୍ଦ୍ୱ ସବୁ ଦଳ ପାଇଁ ବୁମେରାଂ ମଧ୍ୟ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି।

ବିଜେଡି ଟିକେଟ୍‌ ପାଇଁ ଦଳର ଜିଲ୍ଲା ସଭାପତି ସୁଧୀର କପରଦାର, ପୂର୍ବ ବିଧାୟକ ସଂଜୀବ ପ୍ରଧାନଙ୍କ ବଡ଼ଭାଇ ପ୍ରଣବ ପ୍ରଧାନ, ସଂଜୀବଙ୍କ ସ୍ତ୍ରୀ ଅନିତା ପ୍ରଧାନ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ନିବେଦିତା ନାଏକ, ପୂର୍ବ ବାରକୋଟ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଭୂତି ଗଙ୍ଗଦେବ, ରାଜ୍ୟ ଯୁବ ବିଜେଡିର ସଂପାଦକ ରେମାଂଚ ରଂଜନ ବିଶ୍ବାଳ, ଏସଡିସିସି ବ୍ୟାଙ୍କର ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଇଂ ଚିତ୍ତରଂଜନ ପ୍ରଧାନ, ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷ ଭୁପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ରହିଛନ୍ତି। ଏଥର ବିଧାୟକ ନିତେଶ ଗଙ୍ଗଦେବ ନିର୍ବାଚନ ରଣାଙ୍ଗନକୁ ନ ଓହ୍ଲେଇ ତାଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା ଚର୍ଚ୍ଚା ଜୋର ଧରିଛି। ତେବେ, ଏଭଳି ଚର୍ଚ୍ଚାକୁ ନିତେଶ ଗଙ୍ଗଦେବ ସିଧାସଳଖ ଅସ୍ବୀକାର କରିଛନ୍ତି। ବିଜେଡିରେ ଗୋଷ୍ଠୀ ବିବାଦ ଓ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବିଜେଡି ମହିଳା କାର୍ଡ ଖେଳିବ ବୋଲି ଆଲୋଚନା ହେଉଛି।

କଂଗ୍ରେସ ପାଇଁ ଜିଲ୍ଲା ସଭାପତି ଉମାଶଙ୍କର ସାହୁ, ପିସିସି ସଂପାଦକ ସେମ୍ ହେମ୍ୱ୍ରମ, ପୂର୍ବ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସତ୍ୟନାରାୟଣ ପାଣି, ନେତ୍ରାନନ୍ଦ ସାମଲ ପ୍ରମୁଖ ଆଶାୟୀ ଥିବାବେଳେ ବିଜେପିରୁ ବିଧାୟକ ନିତେଶ ଗଙ୍ଗଦେବ, ପୂର୍ବ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ଅରୁଣ ସାହୁ ଟିକେଟ୍ ଦୌଡ଼ରେ ରହିଛନ୍ତି।

୨୦୦୦ ନିର୍ବାଚନରେ ସୁବାସ ପାଣିଗ୍ରାହୀ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀ ହୋଇ ସ୍ୱାଧୀନ ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ ପରାସ୍ତ କରିଥିଲେ।

ତେବେ ୨୦୦୪ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ରହିଥିବାରୁ ଶ୍ରୀ ଗଙ୍ଗଦେବ ଅଣକଂଗ୍ରେସ ଦଳରୁ ଟିକେଟ ନପାଇ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିରେ ସେ ବିଜେପିର ସୁବାସ ପାଣିଗ୍ରାହୀଙ୍କୁ ହରାଇଥିଲେ।

୨୦୦୯ ନିର୍ବାଚନରେ କିନ୍ତୁ ରାଜନୀତିରେ ସଂର୍ପୂଣ୍ଣ ନବାଗତ ତଥା ଆଇନଜୀବୀ ସଞ୍ଜୀବ ପ୍ରଧାନ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ରେଙ୍ଗାଳୀ ବାସଚ୍ୟୁତ ସମସ୍ୟା ତାଙ୍କ ରାଜନୈତିକ କ୍ୟାରିୟରରେ ବ୍ରେକ୍ ଦେଇଥିଲା। ଫଳରେ ୨୦୧୪ରେ ବିଜେଡି ତାଙ୍କ ବଦଳରେ ତାଙ୍କ ସ୍ତ୍ରୀ ଅନିତା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡିକୁ ଏହା ମହଙ୍ଗା ପଡିଥିଲା। କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ୨୦୦୯ରେ ପରାସ୍ତ ହୋଇଥିବା ନିତେଶ ଗଙ୍ଗଦେବ ହାତ ଛାଡ଼ି ପଦ୍ମ ଧରିଥିଲେ। ସେ ବିଜେପି ଟିକେଟ୍‌ରେ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନ ଫଳାଫଳ

ବିଜେପି   ନିତେଶ ଗଙ୍ଗଦେବ  ୮୯,୬୩୬
ବିଜେଡି   ଅନୀତା ପ୍ରଧାନ     ୫୦,୮୯୭
କଂଗ୍ରେସ  ସେମ ହେମରମ    ୧୪,୮୦୯

ସମ୍ବନ୍ଧିତ ଖବର