ଯୌତୁକ ନିର୍ଯାତନା ଓ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଅଭିଯୋଗ:ଥାନାରେ ପ୍ରଥମ ପତ୍ନୀଙ୍କ ଏତଲା

ଦେବଗଡ଼: ଗତ ୬ ବର୍ଷ ତଳେ ବିବାହ କରିଥିବା ଜଣେ ଯୁବକ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ପ୍ରଥମ ପତ୍ନୀ ମଙ୍ଗଳବାର ବାରକୋଟ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ମହିଳାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏତଲା ଅନୁସାରେ ଗତ ୬ ବର୍ଷ ତଳେ ବରକୋଟ ଥାନା ବଲଣ୍ଡା ଗାଁର ପରମାନନ୍ଦ ନାୟକଙ୍କ ପୁଅ ଭୁବନେଶ୍ୱର ନାୟକ ସୁନ୍ଦରଗଡ଼ ଜିଲ୍ଲା ମହୁଲଡିହା ଥାନା ସିହିଡ଼ିଆ ଗାଁର ସୁଶାନ୍ତ ପାତ୍ରଙ୍କ ଝିଅ ଦମୟନ୍ତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରଠୁ ଶାଶୂ ଲଳିତା ନାୟକ ଓ ଶ୍ୱଶୁର ପରମାନନ୍ଦ ଦମୟନ୍ତୀଙ୍କୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିଲେ।

ମାତ୍ର ସେ ସବୁକୁ ସହି ଆସୁଥିଲେ। ତେବେ ବିବାହର ୫ ବର୍ଷ ପରେ ବି ପିଲାଛୁଆ ନ ହେବାରୁ ଦମୟନ୍ତୀଙ୍କୁ ସେମାନେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ଏହ ଅସହ୍ୟ ହେବାରୁ ସେ କିଛି ମାସ ତଳେ ବାପ ଘରକୁ ଚାଲି ଯାଇଥିଲେ। ତେଣେ ସ୍ୱାମୀ ବି କାମ କରିବାକୁ ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅଞ୍ଚଳର ଏକ କାରଖାନାକୁ ଚାଲିଯାଇଥିଲେ। ତେବେ ଭୁବନେଶ୍ୱର ସେଠାରେ କାମ କରିବା ସମୟରେ ସବରା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ୩ ମାସ ତଳେ ଘରକୁ ଆଣିଛନ୍ତି। ଏ ସଂପର୍କରେ ଜାଣି ଦମୟନ୍ତୀ ପ୍ରତିବାଦ କରିବାରୁ ସ୍ୱାମୀ ଭୁବନେଶ୍ୱର, ଶାଶୂ ଲଳିତା ଓ ଶ୍ୱଶୁର ପରମାନନ୍ଦ ମିଶି ତାଙ୍କୁ ମାଡ ମାରିବା ସହ କୁଆଡ଼େ ହତ୍ୟା ଧମକ ଦେଇଥିଲେ। ଏ ନେଇ ଦମୟନ୍ତୀ ମଙ୍ଗଳବାର ସନ୍ଧ୍ୟାରେ ନିଜ ଭାଇମାନଙ୍କ ସହ ବାରକୋଟ ଥାନାକୁ ଆସି ଲିଖିତ ଏତଲା ଦେଇଛନ୍ତି। ପୁଲିସ୍‌ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର