ଜାଲ ନୋଟ କାରବାର, ୩ କୋର୍ଟ ଚାଲାଣ

କେସିଙ୍ଗା: ଜାଲ୍‌ ନୋଟ କାରବାର କରୁଥିବା ଅଭିଯୋଗରେ କେସିଙ୍ଗା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଟିଟିଲାଗଡ଼ ଠିକାଦାରପଡ଼ାର ଗୋବିନ୍ଦ ରାଓ, ଟିଟିଲାଗଡ ନାନାଝରର ଶଙ୍କର ଛୁରା ଏବଂ ସର୍ଗିଗୁଡ଼ାର ବିକାଶ ସାହୁ। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଗୁପ୍ତେଶ୍ୱର ଭୋଇ ଏବଂ ଆଇଆଇସି ବାସୁଦେବ ଛତ୍ରିଆ ପ୍ରକାଶ କରିଛନ୍ତି ଯେ, ଗତ ୨୩ ତାରିଖ ଦିନ ଗୋବିନ୍ଦ ଏକ ପଲସର ଗାଡ଼ିରେ ପଲମ ଛକରେ ଥିବା ଧମେନ୍ଦ୍ର ସାହୁଙ୍କ ଫଳ ଦୋକାନକୁ ଆସିଥିଲେ। ସେଠାରେ ୫ ଶହ ଟଙ୍କାର ଅଙ୍ଗୁର କିଣି ସେ ଏକ ଦୁଇ ହଜାର ଟଙ୍କିଆ ନୋଟ ଦେଇଥିଲେ। ତାହା ଜାଲନୋଟ ବୋଲି ଜାଣି ଶ୍ରୀ ସାହୁ ହୋ ହଲ୍ଲା କରିବାରୁ ଲୋକେ ଗୋବିନ୍ଦଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ।

ପୁଲିସ ପଚରା ଉଚରା କରିବାରୁ ଗୋବିନ୍ଦ ଅନ୍ୟ ଦୁଇଜଣ ଶଙ୍କର ଓ ବିକାଶ ମଧ୍ୟ ଏହି କାରବାରରେ ସଂପୃକ୍ତ ଥିବା କହିଥିଲେ। ପରେ କେସିଙ୍ଗା ଥାନା ପୁଲିସ ଶଙ୍କର ଓ ବିକାଶଙ୍କୁ ଗିରଫ କରିଥିଲା। ବିକାଶଙ୍କ ଘରୁ ଜାଲନୋଟ ଛାପିବା ପାଇଁ ବ୍ୟବହୃତ କଲର୍‌ ପ୍ରିଣ୍ଟର, ଜେରକ୍ସ ମେସିନ୍‌, ବିଭିନ୍ନ ରଙ୍ଗ ବୋତଲ, ଜେକେ ବଣ୍ଡ ପେପର, ମୋବାଇଲ ଫୋନ୍‌ ଆଦି ଜବତ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ଗୁରୁବାର ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏପରି ଜାଲନୋଟ ସହ ଏହି ଅପରାଧୀଙ୍କ ପ୍ରତି ଜନସାଧାରଣ ସଜାଗ ରହିବାକୁ ଏସଡିପିଓ ଶ୍ରୀ ଭୋଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର