ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା ମାମଲା : ଶ୍ୱଶୁର, ଶଳା ସମେତ ୫ ଗିରଫ

ଦେବଗଡ଼ : ବୁଧବାର ଘରୋଇ କଳହକୁ କେନ୍ଦ୍ର କରି ଜିଲ୍ଲାର ଗୋବିନ୍ଦପୁର ଗାଁରେ ଶ୍ୱଶୁର ଘର ଲୋକ ଜ୍ୱାଇଁକୁ ପିଟି ପିଟି ହତ୍ୟା କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦେବଗଡ଼ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଶ୍ୱଶୁର, ଶଳା, କକା ଶ୍ୱଶୁର ଓ ଅନ୍ୟ ୨ଜଣ ମୋଟ୍‌ ୫ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଦେବଗଡ଼ ସହରର ନୂଆଗାଁ ଗ୍ରାମର ସୁବର୍ଣ୍ଣ ପ୍ରଧାନ ଗୋବିନ୍ଦପୁର ଗାଁରେ ନିଜ ଶ୍ୱଶୁର ଘରେ ରହି ଆସୁଥିଲେ। କୁଆଡ଼େ ତାଙ୍କ ବ୍ୟବହାର ଓ ଆଚରଣ ଭଲ ନଥିବାରୁ ଶ୍ୱଶୁର ଘର ସହିତ ସୁବର୍ଣ୍ଣଙ୍କ ଭଲ ସଂପର୍କ ନଥିଲା। ଗତ ବୁଧବାର ସୁବର୍ଣ୍ଣ ଓ ତାଙ୍କ ତ୍ସୀଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ଶ୍ୱଶୁର ସୁଦର୍ଶନ ଠାକୁର, ଶଳା ସନ୍ତୋଷ ଠାକୁର ଓ କକା ଶ୍ୱଶୁର ମଦନ ଠାକୁର ତାଙ୍କୁ ଏକ ଠେଙ୍ଗାରେ ଗୋଡ଼େଇ ଗୋଡ଼ଇ ମାଡ ମାରିଥିଲେ। ଏଥିରେ ପଡ଼ୋଶୀ ରବିନ୍ଦ୍ର ବେହେରା ଓ ବାବୁଲି ମହ୍ଲାର ସହଯୋଗ କରିଥିଲେ।

ପରେ ସେମାନେ ଗୁରୁତର ଆହତ ଥିବା ସୁବର୍ଣ୍ଣଙ୍କୁ ଘର ବାରଣ୍ଡାରେ ନେଇ ଫିଙ୍ଗି ଦେଇଥିଲେ। ଏହାର କିଛି ସମୟ ପରେ ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା। ସୁବର୍ଣ୍ଣଙ୍କ ବଡ଼ ଭାଇ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ବି ଜବତ କରିଛି।

ସମ୍ବନ୍ଧିତ ଖବର