ଗଡ଼ ସୁରକ୍ଷିତ ରଖିଲା ବିଜେପି, ଭୋଟ୍‌ ହାର କମିଲା ବିଜେଡି ଓ କଂଗ୍ରେସର ଭୋଟ୍‌ ହାର ବଢ଼ିଲା

ଦେବଗଡ଼: ସାଧାରଣ ନିର୍ବାଚନ ପରେ କିଏ ଜିତିବ, କିଏ ହାରିବ ସେ ନେଇ ବେଶ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଗୁରୁବାର ଅବସାନ ଘଟିଛି। ବିଜେପି ତା’ର ଗଡ଼ ସୁରକ୍ଷିତ ରଖିବାରେ ସମର୍ଥ ହୋଇଥିଲେ ହେଁ ଏଥର ଭୋଟ୍ ହାର କମିଛି। ୨୦୧୪  ଓ ୨୦୧୯ର ନିର୍ବାଚନକୁ ତର୍ଜମା କଲେ ବିଜେପିର ଭୋଟ ହାର କମିଥିବା ବେଳେ ବିଜେଡି ଓ କଂଗ୍ରେସର ବୃଦ୍ଧି ପାଇଛି। ଅନ୍ୟପଟେ ନୋଟାରେ ପଢ଼ିଛି ୧୩୦୯ ଖଣ୍ଡ ଭୋଟ। ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ବିଧାୟକ ଭା‌ବେ ନିର୍ବାଚିତ ହୋଇଛନ୍ତି ବିଜେପିର ସୁବାସ ଚନ୍ଦ୍ର ପାଣିଗ୍ରାହୀ। ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ୬୮୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ୭୪୩୫୫ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ବିଶ୍ବାଳ ୬୭୨୪୯ ଖଣ୍ଡ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଉମାଶଙ୍କର ସାହୁ ୨୭୪୨୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ପକ୍ଷରେ ବହୁଜନ ସମାଜ ପାର୍ଟିର କନ୍ଦର୍ପ ପ୍ରଧାନ ୧୮୩୧ ଖଣ୍ଡ, କୋଶଲ ଜନତା ଦଳର ଅଳକା ପ୍ରଧାନ ୧୧୪୪ ଖଣ୍ଡ, ପ୍ରାଉଟିଷ୍ଟ ବ୍ଲକ ଅଫ ଇଣ୍ଡିଆର ଡୋଳାକର ଭୋଇ ୯୬୯ ଖଣ୍ଡ, ହିନ୍ଦୁସ୍ତାନ ନିର୍ମାଣ ଦଳର ସତ୍ୟବ୍ରତ ପାଣିଗ୍ରାହୀ ୪୬୦ ଖଣ୍ଡ, ସ୍ବାଧୀନ ପ୍ରାର୍ଥୀ ଦୋଳଗୋବିନ୍ଦ ନାଏକ ୪୫୩, ନରେନ୍ଦ୍ର ପ୍ରଧାନ ୭୦୯, ପ୍ରହଲ୍ଲାଦ ଚରଣ ଗଡ଼ନାୟକ ୫୩୯, ମନୋରଞ୍ଜନ ମିଶ୍ର ୫୫୭, ମୁକେଶ ମହାନାୟକ ୧୨୫୫, ରୋମାଞ୍ଚଳ ଖଡ଼ିରତ୍ନ ୭୯୭ ଖଣ୍ଡ ଭୋଟ ପାଇଛନ୍ତି। ୧୩୦୯ଟି ନୋଟାରେ ପଡ଼ିଛି। ଇଭିଏମ୍‌ର ୧୭୮୬୨୨ ଓ ପୋଷ୍ଟାଲ୍‌ର ୪୪୧ଟିକୁ ମିଶାଇ ୧୭୯୦୬୩ଟି ମତକୁ ନେଇ ଗଣନା କରାଯାଇଥିଲା। ୨୦୧୪ ନିର୍ବାଚନକୁ ତର୍ଜମା କଲେ ବିଜେପି ୮୯୬୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ ୭୪୩୫୫ ଖଣ୍ଡ ପାଇଛି। ଯାହାକି ୧୫୨୮୧ଟି କମ୍‌। ଅନ୍ୟପଟେ ବିଜେଡି ଗତ ନିର୍ବାଚନରେ ୫୦୮୯୭ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ଥର ୬୭୨୪୯ ଖଣ୍ଡ ପାଇଛି। ଯହାକି ୧୬,୩୫୨ ଖଣ୍ଡ ଅଧିକ। ସେହିପରି କଂଗ୍ରେସ ଗତ ଥର ୧୪,୮୦୯ ଭୋ‌ଟ ପାଇଥିଲା ବେଳେ ଚଳିତ ଥର ୨୭୪୨୬ ଖଣ୍ଡ ପାଇଛି ଯାହାକି ୧୨୬୧୭ଟି ଅଧିକ। ତେବେ ଚଳିତ ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ପାଇଁ କଂଗ୍ରେସ ହିଁ ନିର୍ଣ୍ଣାୟକ ହୋଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ବାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ବି କିଛି ଭୋଟ୍‌ କାଟିଥିବା କୁହାଯାଉଛି। ଦେବଗଡ଼ ବିଧାନସଭା ଆସନ ଅଧିକାଂଶ ସମୟରେ ବିରୋଧୀ ଦଳ ହାତରେ ରହୁଥିବା ବେଳେ ଚଳିତ ଥର ବି ପୁନରାବୃତ୍ତି ହୋଇଛି।

ସମ୍ବନ୍ଧିତ ଖବର