ଓକିଲ ସଂଘ ପକ୍ଷରୁ ସରକାରୀ କାର୍ଯ୍ୟାଳୟ ବନ୍ଦ

ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ତଦନ୍ତରେ ପୁଲିସ୍‌ର ଶିଥିଳତାର ପ୍ରତିବାଦ: ବିଜେପିର ନିନ୍ଦା

ଆଇନଜୀବୀ ସଚୀକାନ୍ତ ଦାଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଦେବଗଡ଼ ଜିଲ୍ଲା ବିଜେପି। ଜିଲ୍ଲା ସଭାପତି ଅରୁଣ ସାହୁ ବୁଧବାର ଜାରି କରିଥଇବା ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ଉକ୍ତ ଘଟଣା ଅତି ନିନ୍ଦନୀୟ ଓ ଶୀଘ୍ର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଦେବଗଡ଼/ରିଆମାଳ: ଗତ ୧୦ ତାରିଖ ଦିନ ଦେବଗଡ଼ର ଆଇନଜୀବୀ ସଚୀକାନ୍ତ ଦାଶଙ୍କୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିିଥିଲେ। ଏ ନେଇ ଶ୍ରୀ ଦାଶ ଉକ୍ତ ଦିନ ହିଁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଦେବଗଡ଼ ଓକିଲ ସଂଘ ଏସ୍‌ପି ବି. ଗଙ୍ଗାଧରଙ୍କୁ ଭେଟି ଦୁର୍ବୃତ୍ତମାନଙ୍କୁ ୩ ଦିନ ମଧ୍ୟରେ ଗିରଫ କରିବାକୁ ଦାବି କରିଥିଲେ। ମାତ୍ର ତଦନ୍ତରେ ପୁଲିସ୍‌ ଶିଥିଳତା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ପ୍ରତିବାଦରେ ସଂଘ ପକ୍ଷରୁ ବୁଧବାର ଦେବଗଡ଼ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା। ସଂଘ ସଭାପତି ପ୍ରମଥେଶ ଗୁରୁଙ୍କ ନେତୃତ୍ୱରେ ଓକିଲମାନେ ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ, ପୋଷ୍ଟ ଅଫିସ ଆଦିକୁ ବନ୍ଦ କରାଇଥିଲେ। ଫଳରେ ଆଜି ହେବାକୁ ଥିବା ଜିଲ୍ଲା ପରିଷଦର ବୈଠକକୁ ମଧ୍ୟ ମଙ୍ଗଳବାରଠାରୁ ବାତିଲ କରି ଦିଆଯାଇଥିଲା।

ଏହା ସହିତ ଡିଆରଡିଏ କାର୍ଯ୍ୟାଳୟରେ ଚାଲିଥିବା ସରପଞ୍ଚମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ବି ଓକିଲମାନେ ବନ୍ଦ କରାଇଥିଲେ। ଏଥିରେ ଓକିଲ ଦିଲୀପ ଗୁରୁ, ମନୋଜ ପାଢ଼ୀ, ରାଜୀବ ପ୍ରଧାନ, ରଂଜନ ସାହୁ, ଜୟ ଭଗବାନ ଅଗ୍ରଓ୍ଵାଲ, ଶୈଳେନ୍ଦ୍ର ସାହୁ, ପୃଥ୍ଵୀରାଜ ପଟ୍ଟନାୟକ, ରାଜକିଶୋର ପ୍ରଧାନ, ଅଭିଳାଷ ମିଶ୍ର, ଆଲୋକ ସୌରଭ ବେହେରା, ବିକାଶ ପ୍ରଧାନ, ତାପସ ମହାପାତ୍ର, ସଚ୍ଚିକାନ୍ତ ଦାଶ, ପ୍ରଣବ ସ୍ୱାଇଁଙ୍କ ସମତେ ବହୁ ଆଇନଜୀବୀ ସାମିଲ ହୋଇଥିଲେ। ସେହିପରି ରିଆମାଳ ଓକିଲ ସଂଘ ସଭାପତି ପ୍ରମୋଦ ନନ୍ଦଙ୍କ ନେତୃତ୍ୱରେ ଓକିଲମାନେ ପିକେଟିଂ କରି ଅଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରାଇଥିଲେ।

ସମ୍ବନ୍ଧିତ ଖବର