ଦେବଗଡ଼: ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ମହିଳାଙ୍କ ମୃତ୍ୟୁ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

ଦେବଗଡ଼: ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ମଙ୍ଗଳବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟରେ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ତିଲେଇବଣୀ ବ୍ଲକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଖେପଲିପାଲ ପଞ୍ଚାୟତ ଅନ୍ତର୍ଗତ ତୁଳିଆ ଗାଁର ମହିଳା ପ୍ରତିମା ପ୍ରଧାନ(୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଶରତ ପ୍ରଧାନ(୩୫)ଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସ୍କୁଲରୁ ପାଠ ପଢ଼ି ଫେରିବା ପରେ ପୁଅ-ଝିଅଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବାକୁ ପ୍ରତିମା ଆଜି ଅପରାହ୍ନରେ ରୋଷେଇ ଘରକୁ ଯିବା ପୂର୍ବରୁ ଗ୍ୟାସ୍‌ ଲିକ୍‌ ହେଉଥିଲା। ଏ ବାବଦରେ ସେ ଜାଣି ନଥିଲେ। ଚୂଲିରେ ନିଅାଁ ଲଗାଇବା ବେଳେ ସେଠାରେ ହଠାତ ବଡ଼ ଧରଣର ନିଅାଁ ଜଳି ଉଠିଥିଲା। ଫଳରେ ପ୍ରତିମା ଚିତ୍କାର କରୁଥିଲେ। ଚିତ୍କାର ଶୁଣି ଘର ବାଡ଼ି ପଛପଟରେ ଘାସ କାଟୁଥିବା ସ୍ୱାମୀ ତଥା ଖେପିଲିପାଳ ପଞ୍ଚାୟତର ନାଏବ ସରପଞ୍ଚ ରୋଷେଇ ଘରକୁ ଦୌଡ଼ି ଆସିଥିଲେ। ସେହି ସମୟରେ ଜଳୁଥିବା ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା।

ପ୍ରତିମାଙ୍କ ଶରୀର ୯୦ ପ୍ରତିଶତ ଓ ଶରତଙ୍କ ଶରୀର ୬୦ ପ୍ରତିଶତ ପୋଡ଼ିଯିବା ପରେ ପଡୋଶୀଙ୍କ ସାହାଯ୍ୟରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରତିମାଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଶରତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସମ୍ବନ୍ଧିତ ଖବର