ଦେବଗଡ଼: ନିଜର ବୋଲି କେହି ନାହାନ୍ତି ଆଶ୍ରୟ କହିଲେ କୁଡ଼ିଆ ଘର, ତାହା ବି ନିଜର ନୁହେଁ। ଭଙ୍ଗା ଦଦରା କୁଡ଼ିଆ ଘର କେତେବେଳେ ଯେ ଭାଙ୍ଗି ଉପରେ ମାଡ଼ି ବସିବ କହିହେଉନି। ସରକାରଙ୍କ ପକ୍ଷରୁ ଯେଉଁ ଚାଉଳ ଗଣ୍ଡାଏ ମିଳୁଥିଲା ତାହା ବି ବନ୍ଦ ହୋଇ ଯାଇଥିବା ବେଳେ ଭତ୍ତା ବାବଦ ମିଳୁଥିବା ୩୦୦ ଟଙ୍କା ପେଟର ଦାନା ପାଇଁ ବି ଅଣ୍ଟୁନି। ଯଦ୍ୱାରା ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ ଅର୍ଦ୍ଧାହାରରେ ପଡ଼ି ରହିଛନ୍ତି ଭାଗ୍ୟ ମାଝୀ। ତେବେ ଏହା କୌଣସି ଗ୍ରାମାଞ୍ଚଳ ବା ଉପାନ୍ତ ଅଞ୍ଚଳର ନୁହେଁ, ଖୋଦ୍ ଦେବଗଡ଼ ପୌରାଞ୍ଚଳ ୭ ନମ୍ବର ଓ୍ଵାର୍ଡ ଅନନ୍ତର୍ଗତ ଗୋବିନ୍ଦପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସହରରେ ଜିଲ୍ଲା ପ୍ରଶାସନର ନାକ ତଳେ ଯଦି ଏଭଳି ଅବସ୍ଥା ତେବେ ଗ୍ରାମାଞ୍ଚଳଗୁଡ଼ିକରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା କେମିତି ପହଞ୍ଚୁଥିବ ଏଥିରୁ ଜଳ ଜଳ ହୋଇ ଦିଶୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାରୁ ପ୍ରକାଶ ଯେ ଗୋବିନ୍ଦପୁରରେ ଭାଗ୍ୟ ମାଝୀ ପରିବାର ନେଇ ରହୁଥିଲେ। ପରିବାର କହିଲେ ପତ୍ନୀ ଓ ଗୋଟିଏ ବୋଲି ପୁଅ। ତେବେ ୨୮ ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ବର୍ଷ ପରେ ପୁଅ ବି ଆଖି ବୁଜିଲା। ଫଳରେ ଏକାକି ରହିଗଲେ ଭାଗ୍ୟ। ପତ୍ନୀ ଓ ପୁଅକୁ ହରାଇବା ପରେ ତାଙ୍କ ଜୀବନ ନିଃସଙ୍ଗ ଓ ଦୁର୍ବିସହ ହୋଇପଡ଼ିଲା। ନିଜର କୌଣସି ଘର ଦ୍ୱାର ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ଗୋବିନ୍ଦପୁରର ଅନ୍ୟ ଜଣଙ୍କ କୁଡ଼ିଆରେ ଆଶ୍ରୟ ନେବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା। କୁଡ଼ିଆର ଅବସ୍ଥା ଏମିତି ଯେ କେତେବେଳେ ବି ଭୁଶୁଡ଼ି ପଡ଼ି ଜୀବନ ନେଇଯିବ। ତେଣେ ସରକାରଙ୍କ ପକ୍ଷରୁ ଯେଉଁ ଚାଉଳ ଗଣ୍ଡାଏ ମିଳୁଥିଲା ତାହା ବି କିଛି ବର୍ଷ ହେଲା କୌଣସି କାରଣରୁ ବନ୍ଦ ହୋଇଯାଇଛି। ବୃଦ୍ଧାବସ୍ଥା ଯୋଗୁଁ କାମଦାମ କରିପାରୁ ନଥିବା ଭାଗ୍ୟଙ୍କୁ ସରକାରଙ୍କ ପକ୍ଷରୁ ୩୦୦ ଟଙ୍କା ଭତ୍ତା ମିଳୁଥିଲେ ହେଁ ତାହା କୌଣସି ଆଡ଼କୁ ଅଣ୍ଟୁନି।
ଫଳରେ କେଉଁଦିନ ଖାଇବାକୁ ଦି ମୁଠା ଜୁଟେ ତ କେଉଁଦିନ ନାହିଁ। ମୋଟାମୋଟି କହିବାକୁ ଗଲେ ଅଧିକାଂଶ ଦିନ ତାଙ୍କର ଭୋକ ଉପାସରେ ହିଁ କଟିଥାଏ। ଖାଲି ସେତିକି ନୁହେଁ ଦେହ ଢାଙ୍କିବାକୁ ବସ୍ତ୍ର ବି ନାହିଁ ତାଙ୍କ ପାଖରେ। ଭତ୍ତା ଟଙ୍କା ଅଣ୍ଟୁ ନଥିବା ବେଳେ ଅସହାୟ ଅବସ୍ଥା ଦେଖି ସ୍ଥାନୀୟ ଲୋକେ କେବେ କେମିତି ଖାଇବାକୁ ଦେଇଥାନ୍ତି। ମାତ୍ର ସବୁଦିନ ତ ଦେବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଅର୍ଦ୍ଧାହାରରେ ଜୀବନ ଜିଉଁଛନ୍ତି ଭାଗ୍ୟ। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ପଚାରିବାରେ ଖୁବ୍ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।