ଦେବଗଡ଼ ଜିଲ୍ଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ବହୁ ଦିନ ହେଲା ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ଅନୁସାରେ ସବୁଠୁ ଅଧିକ ବିପର୍ଯ୍ୟସ୍ତ ରହିଛି ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ର ସେବା। ପ୍ରାୟତଃ ନେଟ୍‌ୱାର୍କ ଫୁଲ୍‌ ରହୁଥିବା ଦେଖାଉଥିଲେ ହେଁ କଲ୍‌ ଯାଏ ନାହିଁ କି ଆସୁଥିବା କଲ୍‌ ଠିକ୍ ଭାବେ ଶୁଭି ନଥାଏ। ତା’ ସହିତ ଅଧିକାଂଶ ସମୟରେ ବିଏସ୍‌ଏନ୍‌ଏଲ୍‌ର ବ୍ରଡ୍‌ବ୍ୟାଣ୍ଡ ସେବା ବି ଫେଲ୍‌ ରହିଥାଏ। ଯେତେବେଳେ ବି ଚାଲିଥାଏ ଏତେ ମନ୍ଥର ବା ସ୍ଲୋ ରହେ ଯେ କିଛି କାମ କରିବା ସମ୍ଭବ ହୋଇନଥାଏ। ଏହା ସହିତ ଘରୋଇ ମୋବାଇଲ୍‌ କମ୍ପାନି ଏୟାରଟେଲ୍‌ର ଅବସ୍ଥା ବି ତଦ୍ରୁପ। ଭୋଡାଫୋନ୍‌ ସେବା ବନ୍ଦ କରିଦେବା ପରେ ଜିଲ୍ଲା ସଦର ମହକୁମାରେ ଏବେ ଏହି ଦୁଇ ସଂସ୍ଥା ସେବା ଯୋଗାଉଛନ୍ତି। ତେଣୁ ସବୁ ଉପଭୋକ୍ତା ଏହି ଦୁଇ ସଂସ୍ଥାର ଅଟନ୍ତି। ମାତ୍ର ସେମାନଙ୍କ ସେବାରେ ବିଭ୍ରାଟ ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଗଲାଣି। ବର୍ତ୍ତମାନ ଯୁକ୍ତ ୨ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅନଲାଇନ ଆବେଦନ କରୁଥିବା ବେଳେ ଇଣ୍ଟରନେଟ ସେବା ବିଭ୍ରାଟ କାରଣୁ ସେମାନଙ୍କୁ ହତାଶ ହେବାକୁ ପଡୁଛି। ତା’ ସହିତ ସମସ୍ତ ସରକାରୀ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ତାହା ବି ବାଧାପ୍ରାପ୍ତ ହେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ଡିଜିଟା‌ଲ ଇଣ୍ଡିଆର ନାରା ଦେଉଥିବା ବେଳେ ଉପରୋକ୍ତ କାରଣରୁ ଦେବଗଡ଼ ଜିଲ୍ଲାବାସୀଙ୍କ ପାଇଁ ତାହା ଉପହାସ ସଦୃଶ ପାଲଟିଛି। ସମସ୍ୟା ନେଇ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ପଚାରିଲେ ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଯୋଗୁଁ କେବୁଲ କଟୁଥିବାରୁ ଏଭଳି ସମସ୍ୟା ଦେଖା ଦେଉଥିବା ସଫେଇ ଦେଉଛନ୍ତି। ଗ୍ରାମାଞ୍ଚଳରେ ବି ବିଏସ୍‌ଏନ୍‌ଏଲ୍‌ର ସେବା ଫେଲ ରହୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ସବୁଠୁ ପରିତାପରର ବିଷୟ ଟେଲିକମ ଜଗତରେ ଚହଳ ପକାଇଥିବା ଜିଓ ସେବା ରାଜ୍ୟର ସବୁ ଗାଁ’ ଗହଳ ସହ ଦୁର୍ଗମ ଅଞ୍ଚଳରେ ମିଳୁଥିବା ବେଳେ ଆଜି ପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲା ସଦର ମହକୁମାରେ ମିଳିପାରି ନାହିଁ। ବାରକୋଟ ଅଞ୍ଚଳରେ ଏହି ସେବା କାମ କରୁଥିବା ବେଳେ ଜିଲ୍ଲା ସଦର ମହକୁମାରେ ଶୀଘ୍ର ଚାଲୁ କରିବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର