ଜାତୀୟ ରାଜପଥ ସଂପ୍ରସାରଣରେ ଜଙ୍ଗଲ ସ୍ୱାହା:ଟଳିଲା ୨୫୨୮୦ ଗଛ, ବଢ଼ୁଛି ତାତି

ଦେବଗଡ଼: ଦ୍ରୁତ ଗତିରେ ଚାଲିଛି ବିକାଶ। ବିକାଶ ନାଁରେ ଲୋକମାନଙ୍କ ଗମନାଗମନ ସୁବ୍ୟବସ୍ଥା ପାଇଁ ଚଉଡ଼ା ହେଉଛି ଜାତୀୟ ରାଜପଥ। ତେବେ ଏଥି ପାଇଁ ବଳି ପଡୁଛି ଜଙ୍ଗଲ ସଂପଦ। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ କାମରେ ଟଳି ପଡ଼ିଛି ମୋଟ ୨୫୨୮୦ଟି ଗଛ। ସେଥି ମଧ୍ୟରେ ତିଲେଇବଣୀରୁ ବିଞ୍ଜବାହାଳ ମଧ୍ୟରେ ୧୫୪୩୪ଟି ଗଛ ରହିଥିବା ବେଳେ ତିଳେଇବଣୀରୁ ସମ୍ବଲପୁର ରାସ୍ତାରେ ଦେବଗଡ଼ ସୀମା ପର୍ଯ୍ୟନ୍ତ ୯୮୪୬ଟି ଗଛ ରହିଛି। ଯାହାର ସିଧାସଳକ ପ୍ରଭାବ ପଡ଼ିଛି ଅଞ୍ଚଳର ପରିବେଶ ଉପରେ। ବଣପାହାଡ଼ ଘେରା ଜିଲ୍ଲା ହୋଇଥିଲେ ହେଁ ଉପରୋକ୍ତ କାରଣରୁ ଅଂଚଳର ତାପମାତ୍ରାରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି। ପୂର୍ବରୁ ଏତେ ପରିମାଣର ଜଙ୍ଗଲ ଥିଲା ଯେ ଦେବଗଡ଼ ଜିଲ୍ଲା ଦିନେ ଅଖୋଜ ବାମଣ୍ଡା ନାମରେ ପରିଚିତ ଥିଲା। ମାତ୍ର ଶିଳ୍ପ ବିହୀନ ହୋଇଥିଲେ ହେଁ ଜଙ୍ଗଲ ହ୍ରାସ ଯୋଗୁଁ ସମଗ୍ର ଜିଲ୍ଲାରେ ତାପମାତ୍ରା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତା’ ସହିତ ଏତେ ସଂଖ୍ୟକ ଗଛ କାଟି ଦିଆଯିବା ଦ୍ୱାରା ଜାତୀୟ ରାଜପଥ ଏକ ପ୍ରକାର ମରୁଭୂମିର ରୂପ ନେଇ ସାରିଲାଣି। ପଥଚାରିମାନେ ଗଛ ଅଭାବରୁ ଛାଇ ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି।
ପ୍ରାପ୍ତ ସୂଚନାନୁସାରେ ୪୯ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ତିଲେଇବଣୀରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ଥିବା ୬୪.୦୯୪ ହେକ୍ଟର ଅଂଚଳରେ ଜଙ୍ଗଲ ଜମିରୁ ୮୪୦୭ଟି ଓ ଅଣ ଜଙ୍ଗଲ ଜମିରୁ ୭୦୨୭ଟି ଗଛ କାଟି ଦିଆଯାଇଛି। ସେହିପରି ତିଲେଇବଣୀରୁ ସମ୍ବଲପୁର ରାସ୍ତାରେ ଥିବା ଦେବଗଡ ସୀମାବର୍ତ୍ତୀ ପର୍ଯ୍ୟନ୍ତ ମୋଟ ୨୮.୫୮୮ ହେକ୍ଟର ଅଂଚଳରେ ଜଙ୍ଗଲ ଜମିରୁ ୬୪୫୮ଟି ଓ ଅଣ ଜଙ୍ଗଲ ଜମିରେ ଥିବା ୩୩୮୮ଟିକୁ ମିଶାଇ ମୋଟ ୨୫୨୮୦ଟି ଗଛ କାଟି ଦିଆ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ଦ୍ୱାରା ଅଞ୍ଚଳର ପରିବେଶ ପ୍ରଭାବିତ ହେବା ସହ ତାପମାତ୍ରା ଢେର ବୃଦ୍ଧି ପାଇଛି। ଅନ୍ୟପଟେ ବୃକ୍ଷ ଅଭାବରୁ ଛାଇ ଟିକିଏ ପାଇଁ ପଥଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତା’ ସହିତ ଯେତିକି ଗଛ କଟା ଚାଲିଛି ସେ ଅନୁପାତରେ ବୃକ୍ଷରୋପଣ ହେଉ ନଥିବା ଅଭିଯୋଗ ହୋଇଛି।

ଏଭଳି ହେଲେ ଆଗକୁ ସ୍ଥିତି କ’ଣ ହେବ ସେ ନେଇ ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି। ତେଣେ ତାପମାତ୍ରା ବୃଦ୍ଧି ଯୋଗୁଁ ସମଗ୍ର ଜିଲ୍ଲାରେ ଜଳ ଉତ୍ସଗୁଡ଼ିକ ଶୁଖି ଜଳାଭାବ ଜନିତ ସମସ୍ୟା ଉପୁଜିଥିବା ବେଳେ ଭୂତଳ ଜଳସ୍ତର ବି କମି କମି ଚାଲିଛି। ତାପମାତ୍ରା ବୃଦ୍ଧିର ପ୍ରଭାବ ଅଂଚଳରେ ବହୁଳ ଭାବେ ହେଉଥିବା ଲିଚୁ ଚାଷ ଉପରେ ପଡ଼ିଛି। ଖରା ଓ ଗରମ ଯୋଗୁଁ ଲିଚୁ ଫଳଗୁଡ଼ିକ ଫାଟି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ବିପୁଳ ପରିମାଣରେ ବୃକ୍ଷରୋପଣ କରା ନ ଗଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ପରିବେଶବିତ୍‌ମାନେ ଚେତାବନୀ ଶୁଣାଇ ଦେଲେଣି। ତେଣୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଏହା ଉପରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସଂପର୍କରେ ଦେବଗଡ଼ ଏସିଏଫ ପିଟର ଟିଗାଙ୍କୁ ପଚାରିବାରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ବୃକ୍ଷରୋପଣ କରାଯିବ। ତା’ ସହିତ ତିଲେଇବଣୀରୁ ବିଞ୍ଜବାହାଳ ପର୍ଯ୍ୟନ୍ତ କେଉଁଝର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର