ପରିଶୋଧ ହୋଇଥିବା ଋଣର ବକେୟା ନୋଟିସ୍‌: ଖାଉଟି ଅଦାଲତରେ ୟୁକୋ ବ୍ୟାଙ୍କ ଦଣ୍ଡିତ

ଦେବଗଡ଼: ଜିଲ୍ଲା ଖାଉଟି ଅଦାଲତ ଏକ ମାମଲାର ବିଚାର କରି ୟୁକୋ ବ୍ୟାଙ୍କର ଦେବଗଡ଼ ଶାଖାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି। ଦେବଗଡ଼ ସହରର ବରିଷ୍ଠ ନାଗରିକ ମଧୁସୂଦନ ଗୁରୁ ୨୦୦୫ ମସିହାରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରୁ ୯୬ ହଜାର ଟଙ୍କାର କୃଷି ଋଣ ନେଇ ଧାର୍ଯ୍ୟ ସମୟରେ କିସ୍ତି ପରିଶୋଧ କରି ଆସୁଥିଲେ। ତେବେ ୨୦୦୮ ମସିହାରେ ଭାରତ ସରକାର ବଡ଼ ଚାଷୀମାନଙ୍କ ପାଇଁ ୨୫ ପ୍ରତିଶତ ଋଣ ଛାଡ଼ କରିଥିବାରୁ ଶ୍ରୀ ଗୁରୁ ଜଣେ ବଡ଼ ଚାଷୀ ହିସାବରେ ଏହି ଯୋଜନାରେ ଓ୍ଵାନ୍‌ ଟାଇମ ସେଟେଲମେଣ୍ଟରେ ତାଙ୍କର ବକେୟା ଥିବା ଋଣର ୭୫ ପ୍ରତିଶତ ଋଣ ରାଶି ବାବଦକୁ ୩ଟି କିସ୍ତିରେ ୪୨ ହଜାର ୪୩୨ ଟଙ୍କା ପରିଶୋଧ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ସହ ଏ ନେଇ ବ୍ୟାଙ୍କ ସହିତ ଚୁକ୍ତିବଦ୍ଧ ମଧ୍ୟ ହୋଇଥିଲେ।

ଚୁକ୍ତି ଅନୁଯାୟୀ ୨୦୦୯ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ଶେଷ କିସ୍ତି ପରିଶୋଧ କରିବା ପରେ ବ୍ୟାଙ୍କରୁ ‘ନୋ ଡ୍ୟୁଜ’ ପ୍ରମାଣ ପତ୍ର ଦାବି କରିବାରେ ଜୋନାଲ୍‌ ଅଫିସ୍‌ରୁ ଆସିଲେ ଦିଆଯିବ କହି କର୍ତ୍ତୃପକ୍ଷ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ତା’ ପରେ ୭ ବର୍ଷ ବିତି ଯାଇଥିଲେ ବି ଶ୍ରୀ ଗୁରୁଙ୍କୁ ପ୍ରମାଣ ପତ୍ର ମିଳିବା ତ ଦୂରର କଥା ଓଲଟା ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ୨୨.୧୨.୨୦୧୬ ପରିଶୋଧ ହୋଇ ସାରିଥିବା ଋଣ ବାବଦ ୪୨,୫୭୮ ଟଙ୍କା ଋଣ ବକେୟା ଥିବା ନେଇ ଏକ ନୋଟିସ୍‌ ପଠାଇଥିଲେ। ଫଳରେ ଶ୍ରୀ ଗୁରୁ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ଜିଲ୍ଲା ଖାଉଟି ଅଦାଲତ ସଭାପତି ଦୀପକ ମହାପତ୍ର ଓ ଅନ୍ୟ ସଦସ୍ୟ/ସଦସ୍ୟା ମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଶ୍ରୀ ଗୁରୁଙ୍କୁ କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା, ମାନସିକ ଅଶାନ୍ତି ବାବଦକୁ ୩ ହଜାର ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୨ହଜାର ଟଙ୍କା ମିଶାଇ ମୋଟ ୨୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରି ୩୦ ଦିନ ଭିତରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଗୁରୁଙ୍କ ପକ୍ଷରୁ ଆଲୋକ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର