ମଣ୍ଡପରେ ଚାଲିଛି ରଜାମୁଣ୍ଡା ପ୍ରାଥମିକ ସ୍କୁଲ

ଦେବଗଡ଼: ସରକାର ସ୍କୁଲମାନଙ୍କର ଉନ୍ନତି ଓ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ ସେଥି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଛନ୍ତ। ମାତ୍ର ଏବେ ବି ଏମିତି ଅନେକ ସ୍କୁଲ୍‌ ଅଛି ଯାହାର ନିଜସ୍ୱ ଗୃହ ନ ଥିବାରୁ କେଉଁଠି ଗଛ ତଳେ ତ କେଉଁଠି ଭଡ଼ା ଘରେ, ପୁଣି କେଉଁଠି ସାମୂହିକ ମଣ୍ଡପରେ ଚାଲୁଥିବା ଦେଖିବାକୁ ମିଳେ। ଏହିଭଳି ଏକ ସ୍କୁଲ୍‌ ହେଉଛି ଦେବଗଡ଼ ପୌରାଞ୍ଚଳ ଓ ଜିଲ୍ଲା ସଦର ମହକୁମାରେ ଥିବା ରଜାମୁଣ୍ଡା ପ୍ରାଥମିକ ସ୍କୁଲ୍‌। ନିଜସ୍ୱ ଘର ନ ଥିବାରୁ ସ୍କୁଲ୍‌ଟି ଏକ ମଣ୍ଡପରେ ଚାଲିଥିବା ବେଳେ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ସୂଚନଥାଉ କି ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ଵାର୍ଡରେ ରହିଛି ରଜାମୁଣ୍ଡା ପ୍ରାଥମିକ ସ୍କୁଲ୍‌। ବହୁ ବର୍ଷ ହେଲା ସ୍କୁଲ୍‌ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀରେ ୨୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କେତେ ଶିକ୍ଷକ, ଶିକ୍ଷୟିତ୍ରୀ ଏଠାରୁ ଶିକ୍ଷାଦାନ କରି ଅନ୍ୟତ୍ର ବଦଳି ହୋଇ ସାରିଥିବା ବେଳେ ଏଠାରେ ପାଠ ପଢ଼ିଥିବା ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ବହୁ ବଡ଼ ବଡ଼ ପଦ ପଦବୀରେ ରହିଛନ୍ତି। ମାତ୍ର ଦୁଃଖର ବିଷୟ ସ୍କୁଲ୍‌ ଅଛି ସିନା, କିନ୍ତୁ ତା’ର ନିଜସ୍ୱ ଗୃହ ନାହିଁ। ସାହି ମଣ୍ଡପ ବାରଣ୍ଡାରେ ଚାଲିଛି ପାଠ ପଢ଼ା। ଖରା, ବର୍ଷା ଓ ଶୀତ ସବୁ ଋତୁରେ ବାରଣ୍ଡାରେ କେତେବେଳେ ଜରି ବାନ୍ଧି ତ ପୁଣି କେତେ ବେଳେ ପରଦା ଟାଙ୍ଗି ସ୍କୁଲ୍‌ରେ ଚାଲିଛି ପାଠପଢ଼ା।

ଫଳରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍କୁଲ୍‌ ପରିଚାଳନା କମିଯି ଅନେକ ଥର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି। ମଣ୍ଡପରେ ସ୍କୁଲ୍‌ ଚାଲିଥିବା ବେଳେ ଗୃହ ଅଭାବରୁ ଅସ୍ୱାସ୍ଥ୍ୟକର ପରିବେଶ ଓ ଖୋଲାରେ ଚାଲିଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ। ତା’ ସହିତ ପିଲାମାନେ ବି ଖୋଲା ଜାଗାରେ ବସି ଖାଉଛନ୍ତି।

ସ୍କୁଲ୍‌ କୋଠା ନିର୍ମାଣ ପାଇଁ ରଜାମୁଣ୍ଡା ସାହି ବାସିନ୍ଦା ଜମି ଚିହ୍ନଟ କରି ଶିକ୍ଷା ବିଭାଗକୁ ଅବଗତ କରିଥିଲେ ହେଁ କର୍ତ୍ତୃପକ୍ଷ ଜମି ଦେଖାଇଲେ ଆମେ ସ୍କୁଲ୍‌ ତିଆରି କରି ଦେବୁ କହି ଦିନ ଗଡ଼ାଇ ଚାଲିଛନ୍ତି। ଖୋଦ୍‌ ଜିଲ୍ଲା ସଦର ମହକୁମା ଓ ପୌରାଞ୍ଚଳରେ ଥିବା ସ୍କୁଲ୍‌ର ଅବସ୍ଥା ଯଦି ଏଭଳି ତେବେ ଗ୍ରାମାଞ୍ଚଳ ଓ ବିଶେଷ କରି ଦୁର୍ଗମ ଆଭ୍ୟନ୍ତରୀଣ ଅଂଚଳରେ ଥିବା ସ୍କୁଲ୍‌ଗୁଡ଼ିକ ଅବସ୍ଥା କିଭଳି ଥିବ ବୋଲି ଶିକ୍ଷାପ୍ରେମୀ ମହଲ ପ୍ରଶ୍ନ ଉଠାଇଛନ୍ତି। ଏ ସଂପର୍କରେ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ବିମଳେନ୍ଦୁ ମିଶ୍ରଙ୍କୁ ପଚାରିବାରେ, ସ୍କୁଲ୍‌ର ନିଜସ୍ୱ ଗୃହ କିଭଳି ଶୀଘ୍ର ନିର୍ମାଣ କରାଯିବ ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର