ସସ୍ମିତା ସରଲ ମୃତ୍ୟୁ ଘଟଣା: ଅଭିଯୁକ୍ତ ସ୍ୱାମୀ କୃଷ୍ଣ ଗିରଫ

ଇବଥର୍ମାଲ: ଛତିଶଗଡ଼ର ପୁସୋର ଥାନା ପଡ଼ିଗାଁର ବୋହୂ ସସ୍ମିତା ସରଲ (୨୮)ଙ୍କୁ ପୋଡ଼ି ମାରିଥିବା ଏବଂ ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତ ତଥା ସସ୍ମିତାଙ୍କ ସ୍ୱାମୀ କୃଷ୍ଣ ସରଲ (୩୫)ଙ୍କୁ ପୁଲିସ ଦଫା ୩୦୪-ବି ଏବଂ ୪୯୮-ଏ ମାଧ୍ୟମରେ ବୁଧବାର ରାତିରେ ଗିରଫ କରିଛି। ଶୁକ୍ରବାର କୃଷ୍ଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସଲିମ ଡିଗ୍‌ଗା ପ୍ରକାଶ କରିଛନ୍ତି। ଲଖନପୁର ବ୍ଲକ ରେମେଣ୍ଡା ଗାଁର କାର୍ତ୍ତିକ ଭୋଇଙ୍କ ଝିଅ ସସ୍ମିତାଙ୍କୁ ପୁସୋର ଥାନା ପଡ଼ିଗାଁର କୃଷ୍ଣ ଗତ ୨୦୧୨ରେ ବିବାହ କରିଥିଲେ। କିଛି ମାସ ପରେ ଶ୍ୱଶୁର ଘର ଲୋକେ ଯୌତୁକ ସକାଶେ ସସ୍ମିତାଙ୍କ ଉପରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଏପରିକି ସସ୍ମିତାଙ୍କ ସ୍ୱାମୀ ସମେତ ତାଙ୍କ ଶାଶୂ ଦିଅର ତାଙ୍କୁ ବାରମ୍ବାର ମାଡ଼ପିଟ କରୁଥିବାରୁ ସେ ତାଙ୍କ ୫ ବର୍ଷର ସନ୍ତାନଙ୍କୁ ନେଇ ଆସି ବାପ ଘରେ ରହୁଥିଲେ। ଜାତିଭାଇଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷକୁ ଡାକି ସମାଧାନ କରିବା ପରେ ସସ୍ମିତା ୬ ମାସ ହେବ ତାଙ୍କ ଶ୍ୱଶୁର ଘରେ ଯାଇ ରହୁଥିଲେ।

ଗତ ଫେବ୍ରୁଆରି ମଂଗଳବାର ୨୦ ତାରିଖ ରାତିରେ ଖାଇପିଇ ସସ୍ମିତା ଶୋଇଥିବା ବେଳେ ତାଙ୍କ ଦେହରେ ନିଅାଁ ଲାଗି ଯାଇଥିବା ସେ ଜାଣିବା ପରେ ଦେହରେ ନିଅାଁ ଜଳୁଥିବା ଅବସ୍ଥାରେ ସସ୍ମିତା ଦୌଡ଼ିଯାଇ ଘର ପାଖରେ ଥିବା ଏକ ପୋଖରୀରେ ଡେଇଁ ପଡ଼ିଥିଲେ। ପରେ ତାଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଉଦ୍ଧାର କରି ରାୟଗଡ଼ର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏତେ ବଡ଼ ଘଟଣା ଘଟି ଯାଇଥିଲେ ମଧ୍ୟ ସସ୍ମିତାଙ୍କ ବାପ ଘରକୁ କୌଣସି ସୂଚନା ଦିଆଯାଇ ନଥିଲା। ଗତ ୨୩ ତାରିଖ କୃଷ୍ଣଙ୍କ ପଡ଼ୋଶୀ ଘର ଲୋକ ସସ୍ମିତାଙ୍କ ବାପାଙ୍କୁ ଏ ସଂପର୍କରେ ଖବର ଦେଲା ପରେ ସସ୍ମିତାଙ୍କ ବଡ଼ ଭାଇ ସମେତ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ସସ୍ମିତାଙ୍କ ଅବସ୍ଥା ଦେଖି ସସ୍ମିତାଙ୍କୁ ଜଳେଇ ହତ୍ୟା ଉଦ୍ୟମ କରାଯାଇଥିବା ପୁସୋର ଥାନାରେ ଅଭିଯୋଗ କରିବା ସହ ସସ୍ମିତାଙ୍କୁ ଉନ୍ନତି ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ବୁର୍ଲା ଡାକ୍ତରଖାନାକୁ ନେଇ ଆସିଥିଲେ। ସାଂଗରେ ସସ୍ମିତାଙ୍କ ସ୍ୱାମୀ କୃଷ୍ଣ ମଧ୍ୟ ବୁର୍ଲା ଯାଇଥିଲେ।

ସସ୍ମିତାଙ୍କ ଶରୀରର ଅଧିକାଂଶ ଅଂଶ ନିଅାଁରେ ପୋଡ଼ି ଯାଇଥିବାରୁ ଗତ ୨୪ ତାରିଖ ରାତି ୨ଟା ୪୦ ମିନିଟରେ ସସ୍ମିତାଙ୍କୁ ନ୍ୟାୟ ଦେବା ପାଇଁ ସହଯୋଗ କରିବାକୁ ବନ୍ଧବାହାଲ ଦିଶା ମହିଳା ସ୍ୱେଚ୍ଛାସେବୀ ସଂଗଠନ ତଥା ମା’ ସମଲେଇ ମା’ ଘର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷା ପଦ୍ମିନୀ ସିଂ ରବିବାର ସକାଳେ ବୁର୍ଲା ପହଞ୍ଚିଥିଲେ। ହେଲେ, ସସ୍ମିତାଙ୍କ ମୃତ୍ୟୁ ହୋଇଯାଇଥିବା କଥା ଜାଣିବା ପରେ ସ୍ୱାମୀ କୃଷ୍ଣ ସେଠାରୁ ଫେରାର ମାରି ଦେଇଥିଲା। ସସ୍ମିତାଙ୍କ ମରଶରୀର ତାଙ୍କ ବାପ ଘର ରେମେଣ୍ଡା ଅଣାଯିବା ପରେ ଆମ୍ବୁଲାନ୍‌ସ ଯୋଗେ ଶ୍ୱଶୁର ଘରକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ଅନ୍ୟପଟେ, ଶବ ସାଂଗରେ ଅଧ୍ୟକ୍ଷା ପଦ୍ମିନୀ ସିଂ, ରେମେଣ୍ଡା ସରପଞ୍ଚ ଦମୟନ୍ତୀ ଦାିନ, ରେମେଣ୍ଡା ବିଣାପାଣି ଏସଏଚଜି ସଦସ୍ୟା ସସ୍ମିତାଙ୍କ ପରିବାର ଲୋକ ପୁସୋର ଥାନା ଘେରାଉ କରି ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ସ୍ୱାମୀ କୃଷ୍ଣ, ଶାଶୂ, ଦିଅରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର