ଷ୍ଟାଣ୍ଡପୋଷ୍ଟରେ ନାହିଁ ଟ୍ୟାପ୍‌:ଲୋକଙ୍କୁ ମିଳୁନି, ନାଳିରେ ଭାସୁଛି ପାଣି

ଦେବଗଡ଼: ପ୍ରଧାନପାଟ ଝରଣାର ଜଳଧାର ଶୁଖିବାକୁ ବସିଲାଣି। ଏଥି ସହ କୂଅ, ପୋଖରି ସବୁ ଶୁଖି ଯାଇଥିବା ବେଳେ ନଳକୂଅଗୁଡ଼ିକରୁ ବି ଠିକ୍‌ ଭାବେ ପାଣି ବାହାରୁନାହିଁ। ଏଭଳି ସ୍ଥିତିରେ ପିଇବା ପାଣିର ଚାହିଦା ଓ ଗୁରୁତ୍ୱ ଢେର ବଢ଼ି ଯାଇଛି। କିନ୍ତୁ ଦେବଗଡ଼ ସହରରେ ପୌର କର୍ତ୍ତୃପକ୍ଷଙ୍କୁ ବୋଧହୁଏ ଏହାର ଆଦୌ ଚିନ୍ତା ନାହିଁ। ସହରରେ ପୌର ପରିଷଦ ପକ୍ଷରୁ ସ୍ଥାପିତ ହୋଇଥିବା ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ତା’ର ଗୋଟିଏ ଗୋଟିଏ ଉଦାହରଣ ପାଲଟିଛି। ଅଧିକାଂଶ ଷ୍ଟାଣ୍ଡ ପୋଷ୍ଟରେ ଟେପ୍‌ ନଥିବା ବେଳେ ଜଳ ଯୋଗାଣ ସମୟରେ ସେଥିରୁ ଅନବରତ ପାଣି ବାହାରି ବହି ଯାଉଛି। ସହରବାସୀଙ୍କୁ ପାଣି ଟୋପାଏ ମିଳୁ ନଥିବା ବେଳେ ଏଭଳି ଖାଲିରେ ଖାଲିରେ ରାସ୍ତା ଘାଟ ଓ ନାଳିଗୁଡ଼ିକରେ ପାଣି ବହିଯିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି।

ଅଭିଯୋଗ ଅନୁସାରେ ସହରାଞ୍ଚଳର ବିଭିନ୍ନ ସାହିରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୧୭୫ଟି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ତେବେ ସ୍ଥାପନା ପରେ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଅଧିକାଂଶ ଷ୍ଟାଣ୍ଡ ପୋଷ୍ଟରେ ଟ୍ୟାପ୍‌ ନାହିଁ। ଫଳରେ ପାଣି ଅଯଥା ରାସ୍ତାଘାଟ ଓ ନାଳିରେ ବହି ଯାଇ ନଷ୍ଟ ହେଉଛି। ସେଗୁଡ଼ିକୁ ଟେପ୍‌ ଲଗାଇ ରୋକାଗଲେ ଗ୍ରୀଷ୍ମ ଋତୁରେ ସହରରେ ହେଉଥିବା ଜଳାଭାବ ଜନିତ ସମସ୍ୟାକୁ ଅନେକାଂଶରେ ସମାଧାନ କରାଯାଇ ପାରନ୍ତା ବୋଲି ସଚେତନ ନାଗରିକ ମହଲ ମତ ଦେଇଛନ୍ତି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଷ୍ଟାଣ୍ଡ ପୋଷ୍ଟ ନଷ୍ଟ ହୋଇ ଯାଇଥିବା ବେଳେ ଅଧିକାଂଶ ଷ୍ଟାଣ୍ଡପୋଷ୍ଟରୁ ଟ୍ୟାପ୍‌ଗୁଡ଼ିକ ଚୋରି ହୋଇଯାଇଛି। ତୁରନ୍ତ ସେଗୁଡ଼ିକର ମରାମତି ସହ ଲୋକଙ୍କୁ ସଚେତନ କରାଯିବା ଜରୁରି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର