ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ରିଆମାଳ: ଗତ ୩ ଦିନ ଭିତରେ ରିଆମାଳ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତ ୩ ତାରିଖ ଦିନ ଦରଜୀମୁଣ୍ଡାର ଧୀରୁ ବେହେରାଙ୍କ ଖଳାରେ ନିଆଁ ଲାଗି ଗୋଟିଏ ପାଳ ଗଦା ସହିତ ସିଲେଇ ମେସିନ ପୋଡ଼ି ଯାଇଛି। ଯାହାର ମୂଲ୍ୟ ୭ ହଜାର ଟଙ୍କା ହେବା ଆକଳନ କରାଯାଉଛି। ସେହିପରି ୪ ତାରିଖରେ ଚିରିଗୁଣିକୁଦର ଗାଁର ରମେଶ ପ୍ରଧାନଙ୍କର ଗୋଟିଏ ପାଳଗଦା ପୋଡ଼ି ଯାଇଥିବା ବେଳେ କୁଣ୍ଢେଇଗୋଳା ଥାନା ଗୋହିଡ଼ା ଗ୍ରାମରେ ଜନୈକା ମହିଳାଙ୍କ ଘରେ ରାତି ପ୍ରାୟ ୧୨ଟାରେ ନିଆଁ ଲାଗି ଯାଇଥିଲା। ଏଥିରେ ଦୁଇ ବଖରା ଚାଳ ଘର, ସମସ୍ତ ଜିନିଷପତ୍ର ପୋଡ଼ି ଯାଇଥିବା ବେଳେ ସେ ସମୟରେ ଘରେ ଶୋଇଥିବା ସଂପୃକ୍ତା ମହିଳା ବି ଆହତ ହୋଇଛନ୍ତି। ତାଙ୍କର ୨୦ ପ୍ରତିଶତ ପୋଡ଼ିଥିବା ବେଳେ ଗୁରୁତର ଅବସ୍ଥାରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ୯୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ମହିଳା ଜଣକ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ଚିକିତ୍ସା ସହାୟତା ସହ ପୋଡ଼ି ଯାଇଥିବା ଘର ଓ ଆସବାବପତ୍ରର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ସେହିପରି ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ୫ ତାରିଖରେ ମଧ୍ୟପୁର ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନଙ୍କର ଖଳାରେ ନିଆଁ ଲାଗି ଗୋଟିଏ ପାଳଗଦା ପୋଡ଼ି ଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮ ହଜାର ଟଙ୍କା ବୋଲି ଆକଳନ କରାଯାଇଛି। ସୂଚନା ପାଇ ରିଆମାଳ ଅଗ୍ନିଶମ ଅଧିକାରୀ ଗୋପବନ୍ଧୁ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ଉପରୋକ୍ତ ସ୍ଥାନଗୁଡ଼ିକରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର