ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ମାମଲା ରୁଜୁ

ଦେବଗଡ଼: ବାରକୋଟ ଥାନା ସଇଡା ଗାଁର ଯୁବକ କିଣ୍ଡୋ ଲୁହୁରା (୨୫)ଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନାନୁସାରେ କିଣ୍ଡୋ ସବୁ ଦିନ ଭଳି ମଙ୍ଗଳବାର ସକାଳୁ ମଧ୍ୟ ନିଜର ମୋପେଡ ଗାଡି ନେଇ ଆଇସ୍‌କ୍ରିମ ବିକ୍ରି କରିବାକୁ ବାହାରିଥିଲେ। ତେବେ ସେ ଘରକୁ ଫେରି ନଥିବା ବେଳେ ସନ୍ଧ୍ୟାରେ ଗାଁର ଜଣେ ବ୍ୟକ୍ତି କିଣ୍ଡୋଙ୍କ ମୋପେଡ୍‌ର ଚାବି ସହ ତାଙ୍କ ପିନ୍ଧା ଲୁଗା ତାଙ୍କ ଘରକୁ ଆଣି ଦେଇଥିଲେ। ଗାଡ଼ିଟି ଘର ଠାରୁ ୧ କି.ମି. ଦୂର ଏକ ପୋଖରି ନିକଟରେ ପଡ଼ିଥିବା ସୂଚନା ଦେଇଥିଲେ। ପରିବାର ଲୋକେ ସେଠାକୁ ଯାଇ ଖୋଜାଖୋଜି କରିବା ପରେ ପୋଖରିରେ କିଣ୍ଡୋ ଭାସୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ କିଣ୍ଡୋଙ୍କ ଭାଇ ରଞ୍ଜନ ଲୁହୁରା ବାରକୋଟ ଥାନାରେ ଏତଲା ଦେବା କିଣ୍ଡୋଙ୍କୁ କୌଣସି ର୍ଦୁବୃତ୍ତ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତଦନ୍ତ ଜାରି ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟତା ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର