ତିଲେଇବଣୀ ବ୍ଲକ ଜେ.ଇଙ୍କୁ ଆକ୍ରମଣ ଓ ଧମକ ଘଟଣା:କଲମଛାଡ଼ ଆନ୍ଦୋଳନ ଚେତାବନୀ

ଦେବଗଡ଼: ତିଲେଇବଣୀ ବ୍ଲକ କନିଷ୍ଠ ଯନ୍ତ୍ରୀ ଅସିତ ନାୟକଙ୍କୁ ବିଧାୟକ ପ୍ରତିନିଧି ଯୋଗେଶ ପ୍ରଧାନ ଜାତିଗୋତ୍ର ଉଚ୍ଚାରଣ କରିବା ସହ ମାଡ ମାରିବା ଏବଂ ହତ୍ୟା ଧମକ ଦେବା ଘଟଣାର ପ୍ରତିବାଦ କରି ଦେବଗଡ ଜିଲ୍ଲା ଓଡ଼ିଶା ଇଂଜିନୟର ସେବା ସଂଘ ଶାଖା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସନ୍ତ ନିବାସ ଠାରେ ଏକ ଜରୁରିକାଳୀନ ବୈଠକ ବସିଥିଲା। ଘଟଣାରେ ଉଚିତ କାର୍ଯ୍ୟାନୁଷ୍ଠାନ ନ ହେଲେ କଲମଛାଡ଼ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି। ବୁଧବାର ଦେବଗଡ ଶାଖାର ସଂପାଦକ ଟି. ଗୋପାଳକୃଷ୍ଣ ସରାଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଏସପି ଅନୁପମା ଜେମସ, ପିଡିଡିଆରଡିଏ ଭୀମସେଣ୍ଟ ପୁନମକାନ୍ତ ଏକ୍କାଙ୍କୁ ସାକ୍ଷାତ କରିଥିଲେ। ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆସନ୍ତା ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ତିନି ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଜିପିଟିଏମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର