୩ ମୋବାଇଲ ଦୋକାନରୁ ଚୋରି ଘଟଣା, ୨ ଅଟକ

ଦେବଗଡ଼: ଦେବଗଡ଼ ସହରର ମଧ୍ୟସ୍ଥଳୀ ଘରୋଇ ବସଷ୍ଟାଣ୍ଡ, ଟ୍ୟାକ୍ସି ଷ୍ଟାଣ୍ଡ ଓ ନିଳବେର୍ଣ୍ଣୀ ସାହିରେ ଥିବା ୩ଟି ମୋବାଇଲ ଫୋନ ଦୋକାନରୁ ଚୋରି ଘଟଣାରେ ଦେବଗଡ଼ ପୁଲିସ ପ୍ରଧାନ ସାହିର ରଘୁ କାରିଗର ଓ ମହୁଲଢିପା ସାହିର ମନୋଜ ପାତ୍ରକୁ ଅଟକ ରଖି ପଚରାଉଚରା କରୁଛି। ରଘୁ କାରିଗର ନିଜ ଘର ଅଗଣାରେ ମାଟିରେ ପୋତି ରଖିଥିବା ଚୋରି ମୋବାଇଲ ଫୋନ ଓ ଅନ୍ୟାନ୍ୟ ମୋବାଇଲ ସାମଗ୍ରୀକୁ ଜବତ କରାଯାଇଛି। ଗତ ୨୮ ତାରିଖ ରାତିରେ କେତେକ ଦୁର୍ବୃତ୍ତ ଘରୋଇ ବସଷ୍ଟାଣ୍ଡ ସ୍ଥିତ ସଂଜୟ ନାୟକଙ୍କ ମୋବାଇଲ ଦୋକାନର ତାଲା ଭାଙ୍ଗି ବିଭିନ୍ନ ବ୍ରାଣ୍ଡର ୪୩ଟି ନୂଆ ମୋବାଇଲ ଫୋନ ଓ ନଗଦ ୮୫୦୦ ଟଙ୍କା ଚୋରି କରିଥିଲେ। ଟ୍ୟାକ୍ସି ଷ୍ଟାଣ୍ଡସ୍ଥିତ ଶିଶିର ସାହୁଙ୍କ ମୋବାଇଲ ରିପ୍ୟାରିଙ୍ଗ ଦୋକାନର ଟିଣ କବାଟ ତାଡି ୩୦ଟି ସଜଡ଼ା ଯାଇଥିବା ମୋବାଇଲ ଫୋନ ଓ ୫୦ଟି ଅଚଳ ମୋବାଇଲ ଫୋନ, ୫୦ଟି ମୋବାଇଲ ଚାର୍ଜର ଓ ୧୦୦ଟି ଇୟର ଫୋନ ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ନିଳବେର୍ଣ୍ଣୀ ସାହିରେ ବିଜୟ ପାତ୍ରଙ୍କ ମୋବଇଲ ଦୋକାନରୁ ୨ଟି ନୂଆ ମୋବାଇଲ ଫୋନ, ୬ଟି ପୁରୁଣା ମୋବାଇଲ, ନଗଦ ୫ ହଜାର ଟଙ୍କା ଓ ବହୁ ସଂଖ୍ୟକ ମୋବାଇଲ ଚାର୍ଜର ଓ ଇୟର ଫୋନ ଚୋରି କରିଥିଲେ। ସେହିପରି ନିକଟରେ ଥିବା ନିରନ ପାଢୀଙ୍କ କିରାନା ଦୋକାନର ତାଲା ଭାଙ୍ଗି ସେମାନେ ଚୋରି ଉଦ୍ୟମ କରିଥିଲେ ହେଁ ଏଥିରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର