ଏସପିଙ୍କ ଦ୍ୱାରସ୍ଥ ୨ ନିର୍ଯାତିତା ମହିଳା

ଦେବଗଡ: ଗୁରୁବାର ସାରା ବିଶ୍ୱରେ ମହିଳା ଦିବସ ପାଳିତ ହେଉଥିବା ବେଳେ ଉପଯୁ୍‌କ୍ତ ନ୍ୟାୟ ନ ପାଇ ଅବହେଳିତ ରହିଥିବା ଦୁଇ ଜଣ ବିବାହିତା ମହିଳା ପୃଥକ ଘଟଣାରେ ଦେବଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାକୁ ପୁଲିସ ନିକଟରେ ପା୍ରର୍ଥନା କରିଥିବା ବେଳେ ଅନ୍ୟ ଜଣେ ମହିଳା ଦ୍ୱିତୀୟ ବିବାହ କରିଥିବା ତାଙ୍କ ସ୍ୱାମୀଙ୍କ ଠାରୁ ନିଜ ଓ ଶିଶୁପୁତ୍ରର ଭରଣ ପୋଷଣ ମଗାଇ ଦେବାକୁ ପୁଲିସ ନିକଟରେ ନିବେଦନ କରିଛନ୍ତି। ବାରକୋଟ ଥାନା ଖୁଲୁଣ୍ଡିକୁଦର ଗ୍ରାମର ଗଣେଶ୍ୱର କିସାନଙ୍କ ଝିଅ ପ୍ରମିଳା କିସାନ(୨୪) ୨୦୧୧ରେ ନିକଟସ୍ଥ କତ୍ରାପାଲି ଗ୍ରାମର ଲୁଧା କିସାନଙ୍କ ପୁଅ ନନ୍ଦ କିଶୋର କିସାନଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛିଦିନ ପରଠାରୁ ନନ୍ଦକିଶୋର ପ୍ରମିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା।

ଏପରିକି ପ୍ରମିଳା ଗର୍ଭବତୀ ଥିବା ସମୟରେ ନନ୍ଦ କିଶୋର ତାଙ୍କୁ ଆକ୍ରମଣ କରିବାରୁ ଗର୍ଭ ଶିଶୁ ଭ୍ରୂଣ ନଷ୍ଟ ହୋଇଯାଇଥିଲା। ପ୍ରମିଳା ବୁଝାମଣା ନିମନ୍ତେ ବହୁ ଉଦ୍ୟମ କରିଥିଲେ ମଧ୍ୟ ନନ୍ଦ କିଶୋର ତାଙ୍କ କଥା ବୁଝିବା ପରିବର୍ତ୍ତେ ମାଡ ମାରିବା ସହ ହତ୍ୟା କରିବାକୁ ଧମକ ଦେଇଛି। ଏପରିକି ନନ୍ଦ କିଶୋର ଆସନ୍ତା ମାର୍ଚ୍ଚ ୧୫ ତାରିଖ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ତିଥି ଧାର୍ଯ୍ୟ କରିଛି ବୋଲି ଦର୍ଶାଇବା ସହ ଏହି ବେଆଇନ ବିବାହକୁ ରୋକିବାକୁ ତାଙ୍କ ଅଭିଯୋଗ ପତ୍ର ଜରିଆରେ ଏସ.ପି.ଙ୍କୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ବାରକୋଟ ଥାନା ସଇଡା ଗ୍ରାମର ନବୀନ ପାତ୍ରଙ୍କ ଝିଅ କୁନି ପାତ୍ର (୩୦) ୨୦୧୦ରେ ନିକଟସ୍ଥ ଚକ୍ରପାଲି ଗ୍ରାମର ଭକ୍ତ ପାତ୍ରଙ୍କ ପୁଅ ସୁମନ ପାତ୍ର(୩୫)ଙ୍କୁ ବିବାହ କରିଥିଲେ।

ସେମାନଙ୍କ ୬ ବର୍ଷର ଶିଶୁ ପୁତ୍ର ରହିଛି। ଗତ କିଛି ଦିନ ପୂର୍ବେ ସ୍ତ୍ରୀ କୁନିଙ୍କୁ କିଛି ନଜଣାଇ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲା। ଏହା ପରଠାରୁ ସେ କୁନି ଓ ଶିଶୁ ପୁତ୍ରର କୌଣସି ଦାୟିତ୍ୱ ବହନ କରୁନାହିଁ। ଫଳରେ ଶିଶୁ ପୁତ୍ରର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ତାଙ୍କୁ ସ୍ୱାମୀ ସୁମନ ଠାରୁ ଭରଣ ପୋଷଣ ନିମନ୍ତେ କୁନି ଦେବଗଡ ଏସ.ପି.ଙ୍କ ନିକଟରେ ଗୁହାରି କରିଥିଲେ। କାଉନସିଲର ମିନାକ୍ଷୀ ମିଶ୍ରଙ୍କ ଓ ସାମାଜିକ କର୍ମୀ ହୀରାଧର ସାହୁ, ଶ୍ରମିକ ନେତା ବିଶ୍ୱନାଥ ସ୍ୱାଇଁ ଓ ଡୋଳାକର ଭୋଇଙ୍କ ନେତୃତ୍ୱରେ ଦେବଗଡ ଏସ.ପି.ଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ଅନୁପସ୍ଥିତିରେ ଡି.ଏସ୍‌.ପି. ଆନ୍ଥୋନୀ ତିର୍କୀଙ୍କୁ ସେମାନଙ୍କ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଶ୍ରୀ ତିର୍କୀ ସେମାନଙ୍କ ଅଭିଯୋଗର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର