ଗାଁକୁ ଏବେ ବି ରାସ୍ତା ନାହିଁ

ରିଆମାଳ: ନାଉଲିପଡା ପଞ୍ଚାୟତ ବାଲିଯୁରୀ ଗ୍ରାମକୁ ରାସ୍ତା ନାହିଁ। ଗ୍ରାମର ଲୋକମାନେ ବର୍ଷା ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଜାତୀୟ ରାଜପଥ ୨୦୦ରୁ ସତୀଘାଟ ନିକଟରୁ ବାଲିଯୁରୀକୁ ଏକ କଚ୍ଚା ରାସ୍ତା ଅଛି। ଏହି ଗ୍ରାମକୁ ଯିବା ପଇଁ ସତୀଘାଟ ନାଳ ଡେଇଁ ଯିବାକୁ ପଡେ। ନାଳରେ ଖରା ଦିନରେ ଦୁଇ ଫୁଟରୁ ଅଧିକ ପାଣି ରହୁଥିବା ବେଳେ ବର୍ଷା ଦିନେ ଚାରି ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହୁଏ। ଗ୍ରାମର ଲୋକସଂଖ୍ୟା ୨୦୦ ଥିବା ବେଳେ ଏହି ରାସ୍ତା ଦେଇ ବଡଝରଣ, ବନ୍ଧଲି, ବେତଝରଣର ଲୋକମାନେ ଯିବା ଆସିବା କରିଥାଆନ୍ତି। ଏହି ୪ଟି ଗ୍ରାମର ଲୋକସଂଖ୍ୟା ୧୦୦୦ରୁ ଅଧିକ। ଗୋଟିଏ ରାସ୍ତା ଉପରେ ସେମାନେ ନିର୍ଭରଶୀଳ। ପିଲାମାନେ ନାଉଲିପଡାକୁ ପାଠ ପଢି ଆସୁଥିବା ବେଳେ ବହୁ ସମୟରେ ଡାକ୍ତରଖାନା ତଥା ଅନ୍ୟାନ୍ୟ କାମ ପାଇଁ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ ହୋଇଥାଆନ୍ତି। ସେହିଭଳି ବନ୍ଧଲି ଗ୍ରାମରୁ ବଡଝରଣକୁ ଯିବାପାଇଁ ଆଉ ଏକ ନାଳ ବାଲିନାଳ ପଡେ। ବର୍ଷାଦିନେ ସ୍ୱତଃ ଏହି ୪ଟି ଗ୍ରାମର ଲୋକମାନେ ଏକ ଦୁର୍ବିସହ ଜୀବନ ବଞ୍ଚିଥାନ୍ତି। ଏହି ରାସ୍ତା ନିର୍ମାଣ ସହିତ ସତୀଘାଟ ନାଳ ଓ ବାଲିନାଳରେ ରପଟା ନିର୍ମାଣ କଲେ ଲୋକମାନେ ଅସୁବିଧାରୁ ମୁକ୍ତି ପାଆନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର