ରଙ୍ଗମାଟିଆ ଗାଁରେ ଜଳ ସମସ୍ୟା : କିଡନି ରୋଗ ନେଲାଣି ୭ ଜୀବନ

ନଳକୂଅରୁ ବାହାରୁଛି କାଦୁଅ ପାଣି, ୫ରୁ ଅଧିକ ଆକ୍ରାନ୍ତ

ଦେବଗଡ଼: ତିଲେଇବଣୀ ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ଦେଖା ଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା। ଗାଁରେ ଥିବା ନଳକୂଅଗୁଡ଼ିକରୁ କାଦୁଅ ମିଶା ପାଣି ବାହାରୁଥିବା ବେଳେ ଅନ୍ୟ ଉପାୟ ନଥିବାରୁ ବ୍ୟବହାର ଅନୁପଯୋଗୀ ହୋଇଥିଲେ ବି ଗ୍ରାମବାସୀ ତାକୁ ବ୍ୟବହାର କରୁଛନ୍ତି। ଫଳରେ ପାଣି ସମସ୍ୟା ସହ ଗାଁରେ କିଡ୍‌ନି ରୋଗ ମହାମାରୀ ରୂପ ନେବାକୁ ବସିଲାଣି। ଇତି ମଧ୍ୟରେ ଏହି ରୋଗରେ ଗାଁର ୭ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୫ରୁ ଅଧିକ ଲୋକେ ଏବେ ବି ଆକ୍ରାନ୍ତ ଥିବା ଜଣାପଡ଼ିଛି।
ସୂଚନାନୁସାରେ ରଙ୍ଗମାଟିଆ ଗାଁରେ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ପାନୀୟ ଜଳ ବ୍ୟବସ୍ଥା ପାଇଁ ଗାଁରେ ମୋଟ ୧୦ଟି ନଳକୂଅ ଥିବା ଓ ତାହା କାର୍ଯ୍ୟକ୍ଷମ ଥିଲେ ହେଁ ସବୁଗୁଡ଼ିକରୁ ବାହାରୁଛି କାଦୁଅ ମିଶା ପାଣି। ଖାଲି ସେତିକି ନୁହେଁ ପାଣିକୁ କିଛି ସମୟ ରଖି ଦେଲେ ତା’ ଉପରେ ତେଲ ଆସ୍ତରଣ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି। ବ୍ୟବହାର ଅନୁପଯୋଗୀ ହୋଇଥିଲେ ହେଁ ଅନ୍ୟ ଉପାୟ ନ ଥିବାରୁ ଗ୍ରାମବାସୀ ତାକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଯଦ୍ୱାରା ଗାଁର ଅନେକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହେବା ସହ ମହାମାରୀ ରୂପ ନେବାକୁ ବସିଲାଣି।

ଏଥି ଯୋଗୁଁ ଇତି ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ଗାଁର ଡିଲେଶ୍ୱର ରଣଜିତ, ଗୌରୀ ଦେବ, ଶଙ୍କର୍ଷଣ ଦେବ, ଜନ୍ମାଜୟ ଲୁହା, ଅଲେଖ ଦେବଙ୍କ ସହ ଅନ୍ୟ କେତେ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଗାଁରେ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମନ୍ଥର ଗତିରେ ଚାଲୁଥିବାରୁ ତାହା କେବେ ସଂପୂର୍ଣ୍ଣ ହେବ ଓ ସେମାନେ ଶୁଦ୍ଧ ପାଣି ଟୋପାଏ ପାଇବେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ପୁନଶ୍ଚ କିଡ୍‌ନିର ରୋଗର ଅନୁଧ୍ୟାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁକୁ ସ୍ୱତନ୍ତ୍ର ମେଡିକାଲ୍‌ ଟିମ୍‌ ପଠାଯାଉ ବୋଲି ସେମାନେ ଦାବି କରିଛନ୍ତି। ପାଣି ସମସ୍ୟା ଓ କିଡ୍‌ନି ରୋଗ ସମସ୍ୟାର ସମାଧାନ ପାଇଁ ଜିଲ୍ଲ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର