ବିଭାଗ ବଦଳିଲେ ନିୟମ ବଦଳେ କି?ଝାରସୁଗୁଡ଼ାରେ ଆକ୍ସନ, ବଲାଙ୍ଗୀରରେ ନୋ ରିଆକ୍ସନ

qପୂର୍ତ୍ତ ବିଭାଗ ଟିଡିଆର୍‌ ଚଞ୍ଚକତାqସନ୍ଦେହରେ ବାବୁ, ଅଧିକାରୀ

ବଲାଙ୍ଗୀର: ଦୁଇଟି ଘଟଣା। ଗୋଟିଏ ଝାରସୁଗୁଡ଼ା ଜିଲ୍ଲା ଓ ଅନ୍ୟଟି ବଲାଙ୍ଗୀର ଜିଲ୍ଲାରେ ଘଟିଛି। ଝାରସୁଗୁଡ଼ା ମାମଲାରେ ତୁରନ୍ତ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବଲାଙ୍ଗୀର ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ବିଭାଗ ଅଲଗା ହେଲେ ଆଇନ ବଦଳିଯାଏ କି? ଠକାମୀ ତ ଠକାମୀ..ତା’ହେଲେ ଝାରସୁଗୁଡ଼ା ଘଟଣା ଭଳି ବଲାଙ୍ଗୀରରେ କାହିଁକି ଟିଡିଆର୍‌ ଠକେଇର ମାଷ୍ଟର ବାପା-ପୁଅ ଯୋଡିଙ୍କୁ ସୁରକ୍ଷା ଢାଲ ହୋଇଥିବା ବାବୁମାନଙ୍କୁ ମୁକୁଳା ଛାଡି ଦିଆଯାଇଛି? ସହରରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି।
ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ବିଭାଗ। ବଜରଙ୍ଗବାଲି ରାଇସ୍‌ ମିଲ୍‌ର ମାଲିକ ଦିଲୀପ ଅଗ୍ରଓ୍ଵାଲ। ତାଙ୍କର ଦୁଇଟି ଆକାଉଣ୍ଟ ସମ୍ବଲପୁରରେ ରହିଛି। ଯୋଗାଣ ବିଭାଗକୁ ୮କୋଟି ୨୦ ଲକ୍ଷ ଟଙ୍କାର ଚୂନା ଲଗାଇଥିବା ଅଭିଯୋଗ ହୋଇଛି। ଧାନ ମିଲିଂ ପାଇଁ ସରକାରଙ୍କୁ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ବାବଦରେ ବି ସେ ଜାଲିଆତି କରିଛନ୍ତି। ୫୦ ଓ ୬୦ ଲକ୍ଷ ଟଙ୍କାର ଦୁଇଟି ବ୍ୟାଙ୍କ ଗ୍ୟାରେଣ୍ଟି ନକଲି ବୋଲି ଧରାପଡିଛି।

ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ବିଭାଗର ବରିଷ୍ଠ ହିସାବ ରକ୍ଷକ ଚିନ୍ତାମଣି ନାୟକ ତଥା ସହକାରୀ ଯୋଗାଣ ଅଧିକାରୀ ସନ୍ଦୀପ ଗୁରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ପ୍ରଶ୍ନ ଉଠିଛି ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ନକଲି ଟିଡିଆର୍‌ ମାମଲାକୁ ନେଇ।
ବଲାଙ୍ଗୀର ପୂର୍ତ୍ତ ବିଭାଗରେ ବାପା-ପୁଅ ଯୋଡି ନକଲି ଟିଡିଆର୍‌ ଦେଇ କୋଟି କୋଟି ଟଙ୍କାର ଠିକା କାମ କରୁଥିଲେ। କଳାହାଣ୍ଡି, ନୂଆପଡ଼ା, ବରଗଡ, ବଲାଙ୍ଗୀର ଜିଲ୍ଲାରେ ନକଲି ଟିଡିଆର୍‌ ଦେଇ ବଣ୍ଟି ଅଗ୍ରଓ୍ଵାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ କାମ କରୁଥିବା ପର୍ଦ୍ଦାଫାଶ ହେଲା। ଏହି ପ୍ରସଙ୍ଗରେ ପୂର୍ତ୍ତ ବିଭାଗର ବଡ ବଡିଆ ଅଧିକାରୀଙ୍କ ଉପରେ ଉଠିଥିଲା ଅଙ୍ଗୁଳି। ତେବେ ‘ସମ୍ବାଦ’ର ଯାଞ୍ଚ ବେଳେ ଆଉ ଏକ କଥା ସାମ୍ନାକୁ ଆସିଛି। ବଲାଙ୍ଗୀର ପୂର୍ତ୍ତ ବିଭାଗରେ ସହକାରୀ

ନିର୍ବାହୀ ଯନ୍ତ୍ରୀ ପାହ୍ୟାରେ କାମ କରନ୍ତି ଅମିତ ଟୁଡୁ ଓ ବୀରେନ୍ଦ୍ର ଖୁରା। ଶ୍ରୀ ଟୁଡୁ ଓ ଶ୍ରୀ ଖୁରାଙ୍କ କାମ ହେଉଛି ପ୍ରକଳ୍ପର ବ୍ୟୟ ଅଟକଳ ହିସାବ କରିବା, ଟେଣ୍ଡର ପ୍ରକ୍ରିୟା ତଦାରଖ କରିବା। ଏଥିରେ ଟିଡିଆର ବି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ। ଠିକାଦାରମାନେ ଯେତେବେଳେ ଟିଡିଆର୍‌ ଆଣି ଦିଅନ୍ତି ତାହା ଶ୍ରୀ ଟୁଡୁ ଓ ଶ୍ରୀ ଖୁରାଙ୍କ ମାଧ୍ୟମ ଦେଇ ବିଭାଗୀୟ ଫାଇଲରେ ସ୍ଥାନ ପାଏ। ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ବିଭାଗରେ ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବାରୁ ବରିଷ୍ଠ ହିସାବ ନିରୀକ୍ଷକ ଚିନ୍ତାମଣି ନାଏକ ପକ୍ଷଭୁକ୍ତ ହେଲେ, ଏସ୍‌ଇଏସ୍‌ଓ ଶ୍ରୀ ଗୁରୁ ପକ୍ଷଭୁକ୍ତ ହେଲେ। କିନ୍ତୁ ବଲାଙ୍ଗୀର ପୂର୍ତ୍ତ ବିଭାଗରେ ଟିଡିଆର୍‌ ଠକେଇ ମାମଲାରେ ଟିଡିଆର୍‌କୁ ଖାମ୍‌ଖିଆଲି ଭାବେ ନେଇଥିବା ଓ ଅବହେଳାକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ?
ରାଜ୍ୟ ସରକାରଙ୍କ ଦୁଇଟି ବିଭାଗ। ଗୋଟିଏ ଯୋଗାଣ ଓ ଅନ୍ୟଟି ପୂର୍ତ୍ତ। ଯୋଗାଣ ବିଭାଗରେ ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଜାଲ୍‌ ଟିଡିଆର୍‌ ମାମଲାରେ ଯେଉଁମାନେ ସନ୍ଦେହ ପରିସରରେ, ସେମାନଙ୍କ ଭୂମିକା ନେଇ ଯାଞ୍ଚ କାହିଁକି ହେବ ନାହିଁ? ପଶ୍ଚିମ ଓଡ଼ିଶାରେ ବାପା-ପୁଅ ଯୋଡି କୋଟି କୋଟି ଟଙ୍କାର ଟିଡିଆର୍‌ ଠକେଇ କରିଥିବା ବେଳେ ଏହି ମାମଲାରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପଛର ରହସ୍ୟକୁ ନେଇ ଏବେ ସନ୍ଦେହଘେରକୁ ଆସିଛି।

ସମ୍ବନ୍ଧିତ ଖବର