ରାସୋଳ: ମିଳିଲା ନାହିଁ ଶିବ କୃପା, ମନ୍ଦିରର ଗମ୍ଭୀରା ଭିତରେ ଝୁଲିପଡ଼ିଲେ ଗୁହାରିଆ

ରାସୋଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଶିତଳେପୁର ଗ୍ରାମର ଉଗ୍ରେଶ୍ୱର ମହାଦେବଙ୍କ ମନ୍ଦିରରେ ଘଟିଛି ଏକ ଅଘଟଣ। ନିଜ ଦୁଃଖ ଦୁର୍ଦ୍ଦଶା ନେଇ ମନ୍ଦିରରେ ଗୁହାରିଆ ପଡ଼ିଥିଲେ ଜଣେ ଯୁବକ। ୨୧ ଦିନ ଧରି ଗୁହାରିଆ ପଡ଼ିବା ପରେ ମଧ୍ୟ ତାଙ୍କ ଗୁହାରି କୁଆଡେ ମହାଦେବ ଶୁଣି ନ ଥିଲେ। ତେଣୁ ୨୧ ଦିନ ରାତିରେ ମନ୍ଦିରର ସମସ୍ତ ପୂଜକ ଓ ଭକ୍ତ ଘରକୁ ଫେରିଯିବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଯୁବକଜଣକ ମନ୍ଦିରର ଗମ୍ଭୀରା ଭିତରେ ବେକରେ ଗାମୁଛା ବାନ୍ଧିି ଝୁଲି ପଡ଼ିଥିଲେ। ଆଜି ସକାଳୁ ଏହି ଘଟଣା ପ୍ରଚାର ହେବା ପରେ ଶହଶହ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୋଳ ବ୍ଲକ୍‌ ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ନିରଞ୍ଜନ ସାହୁ(୩୫ ବର୍ଷ) ବିଭିନ୍ନ ଭାବେ ମାନସିକ ଅବସାଦ ସହିତ ଶାରୀରିକ ଯନ୍ତ୍ରଣା ପାଉଥିବାରୁ ଏହାର ପ୍ରତିକାର ପାଇଁ ଶିବ ମନ୍ଦିରରେ ଗୁହାରିଆ ପଡ଼ିଥିଲେ। ସେ ବିଶ୍ୱାସ କରିଥିଲେ ଯେ ୨୧ ଦିନ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ। ମାତ୍ର ୨୧ ଦିନ ରାତି ହେବ ପରେ ତାଙ୍କ ପ୍ରତି ଶିବକୃପା ହୋଇ ନ ଥିବା ସେ ଅନୁଭବ କରିଥିଲେ। ତେଣୁ ଯେଉଁ ମାନସିକ ଅବସାଦରେ ସେ ଥିଲେ ତାହା ବଢ଼ି ଯାଇଥିଲା। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇପଡ଼ିଥିଲେ ଶ୍ରୀ ସାହୁ। ଯେଉଁ ଶିବଙ୍କ କୃପା ପାଇବା ପାଇଁ ସେ ଗତ ୨୧ ଦିନକାଳ ଘରଦ୍ୱାର ତ୍ୟାଗ କରି ତାଙ୍କ ମନ୍ଦିର ପରିସରରେ ଗୁହାରିଆ ପଡ଼ିଛନ୍ତିି,ସେ ଯଦି ତାଙ୍କ ଗୁହାରି ନ ଶୁଣିଲେ ତେବେ ସେ ତାଙ୍କରି ମନ୍ଦିରରେ ଜୀବନ ହାରିଦେବେ ବୋଲି ନିଷ୍ପତ୍ତି ନେଇତିଲେ। ଏଥିପାଇଁ ସେ ମନ୍ଦିର ନିରୋଳା ହେବାକୁ ଅପେକ୍ଷା କରିଥିଲେ। ସନ୍ଧ୍ୟାଆଳତି ଓ ରାତ୍ରୀ ପୂଜା ଶେଷ କରି ଭକ୍ତ ଓ ପୂଜକମାନେ ନିଜ ନିଜ ଘରକୁ ବାହୁଡ଼ି ଯିବା ରେ ଶ୍ରୀ ସାହୁ ଏକ ଗାମୁଛାରେ ଶିବ ଲିଙ୍ଗ ନିିକଟରେ ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିରକୁ ଯାଇ ଶ୍ରୀ ସାହୁଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ସାଙ୍ଗେ ସାଙ୍ଗେ ଏହି ଖବର ପ୍ରଚାରତ ହୋଇ ଯାଇଥିଲା। ମୃତ ଶ୍ରୀ ସାହୁଙ୍କ ପରିବାର ଏ ସମ୍ପର୍କରେ ରାସୋଳ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର