ସିମିନଇ ଯୁବକ ଗୁଜରାଟରେ ମୃତ:ଶବ ଆଣିବାକୁ ପ୍ରଶାସନକୁ ଗୁହାରି

ଢେଙ୍କାନାଳ: ପେଟ ପୋଷିବାକୁ ଯାଇଥିଲେ ସୁଦୂର ଗୁଜରାଟ। ଭାଗ୍ୟ କିନ୍ତୁ ସାଥ୍‌ ଦେଲାନି। ଗତ ରାତିରେ ବିଦ୍ୟୁତ୍‌ ଆଘାତରେ ତାଙ୍କର ପ୍ରାଣହାନି ଘଟିଛି। ପ୍ରାଣ ହରାଇଥିବା ଏହି ଯୁବକ ହେଉଛନ୍ତି ଓଡାପଡ଼ା ବ୍ଲକ ସିମିନଇ ଗାଁର ସ୍ୱର୍ଗତ ହୃଦାନନ୍ଦ ରାଉତଙ୍କ ପୁଅ ପପୁ(୨୧)। ତାଙ୍କ ମୃତଦେହ ଆଣିବା ପାଇଁ ପରିବାରର ସାମର୍ଥ୍ୟ ନାହିଁ। ଶବ ଘରକୁ ଆଣିବା ପାଇଁ ଆଜି ପରିବାର ସଦସ୍ୟ ଏବଂ ଅଂଚଳବାସୀ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ପପୁ ଢେଙ୍କାନାଳ ଆଇଟିଆଇରୁ ଇଲେକ୍‌ଟ୍ରିକାଲ୍‌ରେ ଡିପ୍ଲୋମା ପାସ୍‌ କରିଥିବା ବେଳେ ଅଞ୍ଚଳରେ ଚାକିରି ପାଇନଥିଲେ। ୬ ମାସ ତଳେ ବାପା ହୃଦାନନ୍ଦଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଯାଇଛି।

ପରିବାର ଚଳାଇବା ପାଇଁ ପପୁ ୪ ମାସ ହେଲା ଗୁଜରାଟ ଯାଇଥିଲେ। ଅହମ୍ମଦାବାଦ ସହର ବାପୁନଗରରେ କୋରିୟର ପ୍ଲାଷ୍ଟିକ୍‌ କାରଖାନାରେ ଇଲେକ୍ଟିକାଲ୍‌ ଅପରେଟର ଭାବେ ସେ କାର୍ଯ୍ୟ କରୁଥିଲେ। ଗତକାଲି କାରଖାନାରେ କାର୍ଯ୍ୟ କରୁଥିବାବେଳେ ରାତି ୧୧ଟା ସମୟରେ ବିଦ୍ୟୁତ୍‌ ଆଘାତରେ ତାଙ୍କର ପ୍ରାଣହାନି ଘଟିଛି। ପପୁଙ୍କ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାବେଳେ ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ। ତାଙ୍କ ମୃତଦେହ ଗ୍ରାମକୁ ଆଣିବା ଲାଗି ବ୍ୟବସ୍ଥା କରିବାକୁ ତାଙ୍କ ଦାଦା ଭୀମସେନ ରାଉତ, ସ୍ଥାନୀୟ ସମିତି ସଭ୍ୟ ପ୍ରମୋଦ ନାୟକ, ଶିବପ୍ରସାଦ ରାଉତ, ପ୍ରଶାନ୍ତ ସାମଲ, ପ୍ରଫୁଲ୍ଲ ବେହେରା ପ୍ରମୁଖ ଆଜି ଜିଲ୍ଲା ପ୍ରଶାସନକୁ ଲିଖିତ ନିବେଦନ କରିଛନ୍ତି। ଏହାର ନକଲ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ମୃତଦେହ ଆଣିବା ପାଇଁ ରେଡ୍‌କ୍ରସରୁ ଟଙ୍କା ମଞ୍ଜୁର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର