‌ଗୋଆରୁ ଆଦିବାସୀ ନାବାଳିକା ଉଦ୍ଧାର

୫୦ ହଜାରରେ ବିକ୍ରି ଅଭିଯୋଗ

ଢେଙ୍କାନାଳ: ସୁଦୂର ଗୋଆକୁ ଚାଲାଣ ହୋଇଥିବା ଗଁଦିଆ ଥାନା ଦକ୍ଷିଣାପଶି ଗାଁର ଆଦିବାସୀ ନାବାଳିକା ଆଜି ଢେଙ୍କାନାଳରେ ପହଞ୍ଚିଛି। ଏହି ୯ ବର୍ଷୀୟା ନାବାଳିକାକୁ ସେଠାରେ ୫୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ପି ସନ୍ତୋଷ ନାୟକଙ୍କ ତତ୍ତ୍ବାବଧାନରେ ଗଁଦିଆ ଥାନାଧିକାରୀଙ୍କ ସହ ଏକ ପୁଲିସ୍‌ ଦଳ ଗୋଆ କୋଲ୍‌ଭା ଥାନା ଫାଟ୍ରେଡ୍‌ ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରି ଆଜି ସ˚ଧ୍ୟାରେ ସିଡବ୍ଲ୍ୟୁସି (ଜିଲ୍ଲା ଶିଶୁ ମଙ୍ଗଳ କମିଟି) ପାଖରେ ହାଜର କରିଥିଲେ। ସହର ଉପକଣ୍ଠ କାଠଗଡ଼ା ସ୍ଥିତ ଉନ୍ମୁକ୍ତ ଗୃହରେ ନାବାଳିକାକୁ ରଖାଯାଇଛି। ଆସନ୍ତାକାଲି ନାବାଳିକାର ଡାକ୍ତରୀ ପରୀକ୍ଷା ଓ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ବୟାନ୍‌ ରେକର୍ଡ ପରେ ସେ କେଉଁଠି ରହିବ ନିଷ୍ପତ୍ତି ନିଆଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଦକ୍ଷିଣାପଶି ଗାଁର ଜଣେ ଆଦିବାସୀ ବ୍ୟକ୍ତି ପତ୍ନୀ ହତ୍ୟା ଅଭି‌େଯାଗରେ ଜେଲ୍‌ରେ ଅଛନ୍ତି। ତାଙ୍କର ଦୁଇ ନାବାଳକ ପୁଅ ଓ ଝିଅ ତାଙ୍କ ଜେଜେବାପାଙ୍କ ପାଖରେ ଥିଲେ ା ୨୦୧୭ ମସିହା ଲକ୍ଷ୍ମୀପୂଜା ସମୟରେ ବାବୁଲି ସ୍ବାଇଁ ଓ ବୁନୁ ମହାରଣା ନାମକ ୨ ଜଣ ବ୍ୟକ୍ତି ନାବାଳିକାର ଜେଜେଙ୍କୁ ପ୍ରଲୋଭିତ କରି ବାବାଳିକାକୁ ଗୋଆକୁ ନେଇଥିଲେ। ସେମାନେ ନାବାଳିକାକୁ ସେଠି ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବୋଲି ନାବାଳିକାର ଜେଜେ ଗତ ଡିସେମ୍ବର ୨୯ ତାରିଖରେ ସିଡବ୍ଲ୍ୟୁସି ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ସଚିବ ଏବ˚ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଘଟଣା ସ୍ଥଳରେ ତଦନ୍ତ କରିଥିଲେ। ଏହାର ସତ୍ୟତା ଥିବା ଜାଣିବା ପରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ କେସ୍‌
ନମ୍ବର ୧୦/୨୦୧୮ ଦଫା ୩୭୦ /୩୪ ଆଇପିସି ଏବ˚ ଜେଜେ ଆକ୍ଟ ୮୧ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା, ଏସ୍‌ଆଇ ବିନ୍ଦୁଲତା ନାୟକ, ଏଏସ୍‌ଆଇ ବିନୟ ସାହୁ, ଗୀତାରାଣୀ ମଲ୍ଲ ପ୍ରମୁଖଙ୍କୁ ନେଇ ଗଠିତ ପୁଲିସ୍‌ ଦଳ ଗୋଆକୁ ଯାଇ ସ୍ଥାନୀୟ ପୁଲିସ୍‌ ସହଯୋଗରେ ଗତ ୧୦ ତାରିଖରେ ନାବାଳିକାକୁ ଉଦ୍ଧାର କରିଥିଲେ।
ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା ଏ ସଂପର୍କରେ କହିଛନ୍ତି ଗୋଆର କୋଲ୍‌ଭା ଥାନା ଫାଟ୍ରେଡ୍‌ ଅଞ୍ଚଳର ବାସିନ୍ଦା ମିଙ୍ଗଲି ଲୁଇସ୍‌ ଓ ତାଙ୍କ ପତ୍ନୀ ଆଇତି ଲୁଇସ୍‌ଙ୍କଠାରୁ ସ˚ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ବାପାଙ୍କ ସାଙ୍ଗ ବାବୁଲି ସ୍ବାଇଁ ଗୋଆରେ ଏହି ଲୁଇସ୍‌ ଦମ୍ପତିଙ୍କ ଘରେ ଭଡ଼ାରେ ରହୁଛନ୍ତି। ନାବାଳିକା ବାପାଙ୍କ ଅନୁରୋଧ କ୍ରମେ ବାବୁଲି ନାବାଳିକାକୁ ଗୋଆକୁ ନେଇଥିଲେ। ଏହି ଦମ୍ପତିଙ୍କର ସନ୍ତାନସନ୍ତତି ନଥିବାରୁ ସେମାନେ ନାବାଳିକାକୁ ନିଜ ଝିଅ ଭାବେ ରଖିଥିଲେ। ସେଠାରେ ହୋଲିକ୍ରସ୍‌ ନାମକ ଇ˚ରାଜୀ ମାଧ୍ୟମ ସ୍କୁଲ୍‌ରେ ଷ୍ଟାଣ୍ତାର୍ଡ-୩ରେ ନାବାଳିକାକୁ ପଢାଉଥିଲେ। ଦାରିଦ୍ର୍ୟ ଯୋଗୁଁ ନାବାଳିକାର ବାପା ଓ ଜେଜେ ନାବାଳିକାକୁ ଗୋଆକୁ ବାବୁଲି ସହ ଛାଡିଥିଲେ। କିନ୍ତୁ ନାବାଳିକା ସହ ବାପା କିମ୍ବା ଜେଜେଙ୍କର ଯୋଗାଯୋଗ ହୋଇନପାରିବାରୁ ସେମାନେ ସିଡବ୍ଲୁସି ନିକଟରେ ଅଭିଯୋଗ କରିଥିଲେ।
ଉଦ୍ଧାର ନାବଳିକାର ଜେଜେ କୁହନ୍ତି, ମା’ ଛେଉଣ୍ତ ଝିଅଟିକୁ ପାଳିବା ପାଇଁ କହି ଆମ ଗାଁର ବୁନୁ ମହାରଣା ତାକୁ ମୋ ଠାରୁ ନେଇଥି‌େଲ। ପରେ ମୋ ନାତୁଣୀକୁ ଲଣ୍ତା କରି ଅନ୍ୟ କେଉଁଆଡେ ନେଇଯାଇଥି‌େଲ। ମୋ ନାତୁଣୀ ସ˚ପର୍କରେ କିଛି ଖବର ପାଇନଥିଲି। ବୁନୁ ମୋ ନାତୁଣୀକୁ ବାବୁଲି ସ୍ବାଇଁ ମାଧ୍ୟମରେ ଗୋଆକୁ ନେଇ ସେଠାରେ ଜଣକୁ ବିକ୍ରି କରିଦେଇଥିବା ଗାଁ ଲୋକଙ୍କ ଠାରୁ ଶୁଣିଥିଲି। ଏଥିପାଇଁ ମୋ ନାତୁଣୀକୁ ଉଦ୍ଧାର କରି ଆଣିବାକୁ ଜିଲ୍ଲା ପ୍ରଶାସନ ପାଖରେ ନେହୁରା ହୋଇଥିଲି।

ସମ୍ବନ୍ଧିତ ଖବର