ଆଶ୍ରୟ ଗୃହ ଅନ୍ତେବାସୀଙ୍କୁ ଅସଦାଚରଣ ଘଟଣା:ପ୍ରଶାସନର ଛାନ୍‌ଭିନ୍, ଥାନାରେ ଅଭିଯୋଗ

ଢେଙ୍କାନାଳ: ସଦର ବ୍ଲକ୍ ବେଲଟିକିରିସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେ˚ଟର’ ଆଶ୍ରୟ ଗୃହରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ କରିଛି। ଜିଲ୍ଲା ଶିଶୁ ଅଧିକାରୀ ଅନୁରାଧା ଗୋସ୍ବାମୀ ଗତକାଲି ସଦର ଥାନାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫାୟାଜ୍‌ ରେହେମାନ୍‌ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେ˚ଟର’ ସ˚ସ୍ଥା ବେଲଟିକିରି ଗ‌ାଁରେ ୨ଏକର ୮୩ ଡେସିମିଲ୍‌ ଜମିରେ ୨୦୧୭ ଏପ୍ରିଲ୍‌ ୨୮ ତାରିଖରୁ ଏକ ଆଶ୍ରୟ ଗୃହ ଚଳାଇଛି। ଗରିବ ପିଲାଙ୍କୁ ସେଠାରେ ଆଶ୍ରୟ ଦେବା ସହ ସେମାନଙ୍କର ରକ୍ଷଣାବେକ୍ଷଣା ଓ ପାଠପଢା ଦାୟିତ୍ବ ବହନ କରୁଛି। କଳାହାଣ୍ତି, ଗଜପତି, ଫୁଲବାଣୀ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାର ପ୍ରାୟ ୯୪ ଅନ୍ତେବାସୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୫୬ ଝିଅ, ୩୨ ପୁଅ ଥିବା ବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି। ଏଥିରୁ ୫ ଛାତ୍ରୀ ଢେଙ୍କାନାଳ ବାଜିରାଉତ ଆବାସିକ କଲେଜ‌ରେ ପଢ଼ୁଛନ୍ତି। ମଝି‌େର ମଝିରେ ସେମାନେ ବେଲଟିକିରି ଆଶ୍ରୟ ଗୃହକୁ ଯାଇଥାନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ରେହେମାନ୍‌ ପ୍ରାପ୍ତବୟସ୍କା ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ ବୋଲି ୨ ଜଣ ଛାତ୍ରୀ ଅଭିଯୋଗ କରିବା ପରେ ସେମାନଙ୍କୁ ଆଶ୍ରୟ ଗୃହରୁ ବାହାର କରିଦିଆଯାଇଛି। ପୁଣି ଅଭିଯୋଗ କରିବା ଆଶଙ୍କାରେ କେତେକଙ୍କୁ ଜବରଦସ୍ତ ଘରକୁ ପଠାଇ ଦିଆଯାଇଛି।
ଏଣେ ସଂସ୍ଥାର ପୂର୍ବତନ ପ୍ରକଳ୍ପ ନିର୍ଦେଶକ ତଥା ଭାରପ୍ରାପ୍ତ ଅଧିକାରୀ ସୀମାଞ୍ଚଳ ନାଏକ ଅନ୍ତେବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହେବାରୁ ତାଙ୍କୁ ବାହାର କରିଦିଆଯାଇଛି ବୋଲି ୨ଜଣ ଛାତ୍ରୀ ସୂଚନା ଦେଇଛନ୍ତି। ଅଧ୍ୟକ୍ଷ ଡ. ରେହେମାନଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୋସ୍ବାମୀଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ୪ଜଣିଆ ଦଳ ଗତ ସୋମବାର ଆଶ୍ରୟ ଗୃହକୁ ଯାଇ ତଦନ୍ତ କରିଥିଲେ। ଘଟଣାର ସତ୍ୟତା ହୃଦ୍‌ବୋଧ ହେବା ପରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ଶ୍ରୀ ରେହେମାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି। ଏଥିସହ ଗତ ରାତିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୋସ୍ବାମୀ ତାଙ୍କ ବିରୋଧରେ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ପୁନର୍ବାର ସେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ନିରଞ୍ଜନ ମିଶ୍ର, ଭାନୁମତି ପାଣି, ନିବେଦିତା ରଥ, ପ୍ରଦୀପ୍ତ ସାହୁଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଏବ˚ ସଦସ୍ୟମାନେ ଆଜି ଅପରାହ୍ଣରେ ଉକ୍ତ ଆଶ୍ରୟ ଗୃହରେ ପହଂଚି ତଦନ୍ତ କରିଥିବା ଜଣାଯାଇଛି।
ଅନୁଷ୍ଠାନର ପୂର୍ବତନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ନାଏକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସ˚ପର୍କରେ ଶ୍ରୀ ନାଏକ କହିଛନ୍ତି ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେ˚ଟର’ ପକ୍ଷରୁ ସହରର କାଲ୍‌ଟାକ୍ସରେ ୨୦୧୧ ମସିହାରେ ଆଶ୍ରୟ ଗୃହ ସ୍ଥାପିତ ହୋଇଥିଲା। ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଅନୁଯାୟୀ ଏହା ପଞ୍ଜୀକୃତ ହୋଇ ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ବେଲଟିକିରି ଠାରେ ମୋ ଜମିରେ ଘର ନିର୍ମାଣ ଶେଷ ହେବା ପରେ ୨୦୧୭ ମସିହାରେ ଏଠାରେ ଅାଶ୍ରୟ ଗୃହ ଆରମ୍ଭ ହୋଇଥିଲା। ଅଧ୍ୟକ୍ଷ ରେହେମାନ୍‌ ଯେବେ ଆସନ୍ତି ଝିଅମାନଙ୍କୁ ଅସଦାଚରଣ କରିବାରୁ ତାଙ୍କ ଠାରୁ ଦୂରେଇ ରହିବାକୁ ମୁଁ ଝିଅଙ୍କୁ ପରାମର୍ଶ ଦେଇଥାଏ। ସ˚ସ୍ଥା ପକ୍ଷରୁ ମୋତେ କିଛି ଦିନ ହେବ ବାହାର କରି ଗଜପତିରୁ ଆସିଥିବା ଷ୍ଟିଫେନ୍‌ସନ୍‌ ରାଉଳଙ୍କୁ ମୋ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ମୋ ବିରୋଧରେ ଛାତ୍ରୀମାନେ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ତେବେ
ନୂତନ ପ୍ରକଳ୍ପ ନିର୍ଦେଶକ ଷ୍ଟିଫେନ୍‌ସନ୍‌ କହିଛନ୍ତି, ‘ମୁଁ ଗଜପତି ଜିଲ୍ଲାରେ ସେଲ୍‌ଟର ହୋମ୍‌ ଦାୟିତ୍ବରେ ଥିଲି। ମୋତେ ବେଲ୍‌ଟିକିରି ସେଲ୍‌ଟର ହୋମ୍‌ ଦାୟିତ୍ବ ତୁରନ୍ତ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଁ ଏଠାରେ ୨୩ ଦିନ ହେବ ରହିଥିଲେ ମଧ୍ୟ ମୋତେ ଦାୟିତ୍ବ ହସ୍ତାନ୍ତର କରାଯାଇନାହିଁ। ’
ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୋସ୍ବାମୀ କହିଛନ୍ତି, ଏ ସ˚ପର୍କରେ ମୁଁ ସଦର ଥାନାରେ ଅଭିଯୋଗ କରିଛି। ତଦନ୍ତ ଚାଲିଛି। ନିର୍ଯ୍ୟାସ ଯାହା ବାହାରିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସଦର ଥାନା ଅଧିକାରୀ ମଳୟ ନାୟକ କହିଛନ୍ତି, ଘଟଣା ସ˚ପର୍କରେ କୌଣସି ମାମଲା ରୁଜୁ ହୋଇନାହିଁ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୌଖିକ ଭାବେ ଘଟଣା ସ˚ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର