ହାଇଓ୍ଵା ଧକ୍‌କାରେ ବାଇକ୍‌ ଜଳିଗଲା

ଖମାର: ଖମାର ଥାନା ନୁଥୁରିପଶି ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣ ୪ଟାବେଳେ ଏକ ହାଇଓ୍ଵା ଧକ୍କାରେ ଗୋଟିଏ ମଟରସାଇକେଲ୍‌ ପୋଡ଼ି ଯାଇଛି। ମଟରସାଇକେଲ୍‌ ଚାଳକଙ୍କ ସମେତ ପଛରେ ବସିଥବା ଜଣେ ବାଳିକା, ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଖମାର ଥାନା ଓଡ଼ଶ ଗାଁର ସୌମ୍ୟ ରଂଜନ ବେହେରା (୩୫) ତାଙ୍କ ମଟରସାଇକେଲ୍‌ରେ ଛୁଞ୍ଚି ବେହେରା (୪୦) ନାମକ ଜଣେ ମହିଳା ଓ ୧୦ ବର୍ଷ ବୟସର ଜଣେ ବାଳିକାକୁ ବସାଇ ଗାଁକୁ ଫେରୁଥିଲେ। ନୁଥୁରିପଶି ନିକଟ ଜାତୀୟ ରାଜପଥରେ ଏକ ହାଇଓ୍ଵା(ଓଡି୦୯ଜି-୩୩୮୩) ତାଙ୍କୁ ଧକ୍‌କା ଦେଇଥିଲା। ଫଳରେ ଆରୋହୀ ୩ ଜଣ ଛିଟିକି ପଡ଼ିଥିବାବେଳେ ମଟରସାଇକେଲ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ସାହୁ ଆହତମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖମାର ଥାନାଧିକାରୀ ଚିତ୍ତରଂଜନ ବେହେରା, ଏଏସ୍‌ଆଇ ଗୌରାଙ୍ଗ ବେହେରା, ପ୍ରସନ୍ନ କୁମାର ବାର୍ଲା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମଟରସାଇକେଲ୍‌ ଜବତ କରିଥିଲେ। ଦୁର୍ଘଟଣା ଘଟାଇ ହାଇଓ୍ଵା ପଳାଇ ଯାଉଥିବାବେଳେ ପୁଲିସ ଜବତ କରିଛି। ହାଇଓ୍ଵା ଚାଳକ ବିଦ୍ୟାଧର ପାତ୍ର(୨୯)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଥାନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର