ପୋଖରୀରେ ବୁଡ଼ି ଯୁବକ ମୃତ:ଉଦ୍ଧାର ପାଇଁ ଯାଇ ଦମକଳ ଗାଡ଼ି ଓଲଟିଲା

ରାସୋଳ: ରାସୋଳ ଥାନା ଖଲିବୋରୋଇ ଗାଁ ଶିମିଳିସାହିର ପଙ୍କଜ ସାହୁ(୧୯) ଆଜି ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଯାଉଥିବା ରାସୋଳ ଦମକଳ ଗାଡ଼ି ଓଲଟି ପଡ଼ିବାରୁ ଖଜୁରିଆକଟା ଅଗ୍ନିଶମ ବାହିନୀ ଯାଇ ଶବ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ପଙ୍କଜ ସକାଳେ ଘର ନିକଟ ଶିମିଳିବନ୍ଧ ପୋଖରୀରେ ଗାଧୋଇବା ସମୟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ବେ ନପାଇବାରୁ ରାସୋଳ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଏଠାରୁ ଯାଇଥିବା ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଖଜୁରିଆକଟା ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା। ‌ଆଗ୍ନିକମାନେ ପୋଖରୀରୁ ପଙ୍କଜଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପଙ୍କଜଙ୍କ ବିୟୋଗରେ ଗାଁରେ ଶୋକ ପ୍ରକାଶ ପାଇଛି।
ରାସୋଳରୁ ଯାଉଥିବା ଦମକଳ ଗାଡ଼ି (ଓଡ଼ି୦୫-୦୫୮୨) ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ସୁକିଆବାଉତି ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସୋଳ ଆଡ଼ୁ ଯାଉଥିବା ଏକ ଇଣ୍ଡିକା କାର୍ ଦମକଳ ଗାଡ଼ିକୁ ଡାହାଣ ପାର୍ଶ୍ବରୁ ଧକ୍କାଦେଇ ପଳାଇବାରୁ ତାହା ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଚାଳକ ଅଶୋକ ଘିୱାଲା, ହାବିଲଦାର ବୀ‌ରେନ୍ ସାମଲ, ଆଗ୍ନିକ କାଳନ୍ଦୀ ମହାଳିକ, କିଶୋର ସେଠୀ, ଶ୍ରୀଧର ସାହାଣି, ସଂଜୀବ ସାହୁ ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଦୁର୍ଘଟଣା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିିଲା। ପୁଲିସ ଏସଏସ୍‌ଆଇ ପ୍ରଦୀପ ଶତପଥୀ ପହଞ୍ଚି ଦମକଳଗାଡ଼ି ରାସ୍ତାରୁ ହଟାଇବା ସହ ଯାନବାହନ ଚଳାଚଳ ସ୍ବାଭାବିକ କରାଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଦମକଳ ଗାଡ଼ି ଜବତ କରି ଏ ସଂପର୍କରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର