ଓଲଟିଲା ଗୋରୁ ଚାଲାଣ ଟ୍ରକ୍‌:୧୭ ଗୋରୁ ମୃତ

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଢେଙ୍କାନାଳ/ଗଁଦିଆ: ଗଁଦିଆ ବ୍ଲକ୍‌ ନିହଲପ୍ରସାଦ ଥାନା ଟୋଲରପଶି ଗ୍ରାମ ନିକଟ ଏକ ପୋଲରେ ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିବାରୁ ସେଥିରେ ଥିବା ୧୭ଟି ଗୋରୁର ମୃତ୍ୟୁ ଘଟିଛି। ୫ଟି ଗୋରୁ ଗୁରୁତର ଆହତ ହୋଇଥିଲେ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ଆଜି ରାସ୍ତାରୋକ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ-ଗଁଦିଆ ରାସ୍ତାରେ ପ୍ରତିଦିନ ରାତି ସମୟରେ ଟ୍ରକ୍‌ ଯୋଗେ ଗୋରୁଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏ ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ଖୋଲମ୍‌ଖୋଲା ଭାବେ ଉକ୍ତ ରାସ୍ତାରେ ଗୋରୁଚାଲାଣ ହେଉଥିଲା। ଗତକାଲି ଏକ ଟ୍ରକ୍‌ (ଓଆର ୨୨ସି-୩୮୭୧)ରେ ବେଆଇନ ଭାବେ ଗୋରୁ ବୋଝେଇ କରି ନିଆଯାଉଥିବା ବେଳେ ଟୋଲରପଶି ଓ କରନ୍ଦା ଗ୍ରାମ ମଧ୍ୟରେ ଥିବା ବେହେରା ନାଳଠାରେ ଗାଡିଟି ଭାରସମ୍ୟ ହରାଇ ଓଲଟି ପଡ଼ିଥିଲା। ସେଥିରେ ଥିବା ଗାରୁଙ୍କ ମଧ୍ୟରୁ ୧୭ଟି ଗୋରୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ଟି ଗୋରୁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉକ୍ତ ଟ୍ରକ୍‌ର ଚାଳକ ଓ ଅନ୍ୟମାନେ ସେଠାରୁ ପଳାଇ ଯାଇଥିଲେ।

ବେଆଇନ ଗୋ-ଚାଲାଣ ଓ ଏତେ ସଂଖ୍ୟକ ଗୋରୁଙ୍କ ମୁତୃ୍ୟୃକୁ ନେଇ  ସକାଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଆଜି ସକାଳେ ଟାୟାର୍‌ ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ନିହଲପ୍ରସାଦ ଥାନା ଅଧିକାରୀ ଦୀପକ ଜେନା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଲନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏ ସଂପର୍କରେ ପୁଲିସ ପକ୍ଷରୁ ଏକ କେସ୍‌ ରୁଜୁ ହୋଇ ତଦନ୍ତ ଚାଲିଛି। ଏ ସଂପର୍କରେ ନିହଲପ୍ରସାଦ ଥାନା ଅଧିକାରୀ ଶ୍ରୀ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଟ୍ରକରେ ୩୦ରୁ ୩୫ ଟି ଗୋରୁ ଯାଉଥିବା ଅନୁମାନ କରାଯାଉଛି।

ଏହି ଟ୍ରକଟି ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଡ୍ରାଇଭର ଓ ହେଲ୍‌ପର ଫେରାର୍‌ ହୋଇଯାଇଛନ୍ତି। ଅନ୍ୟ ଗୋରୁମାନେ ମଧ୍ୟ ସେଠାରେ ନଥିବା ସେ ପ୍ରକାଶ କରିଛନ୍ତି। ଖବର ପାଇ ଗଁଦିଆ ପ୍ରାଣୀ ଚିକିତ୍ସକ କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁ ଗୁଡ଼ିକର ଶବ ବ୍ୟବଚ୍ଛେଦ କରି ପୋତି ଦେବା ସହ ଅନ୍ୟ ୫ଟି ଆହତ ଗୋରୁର ଚିକିତ୍ସା କରିଥିଲେ। ଏହି ବେଆଇନ ଗୋରୁଚାଲାଣର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର