କନ୍ଧମାଳ ପରେ ଢେଙ୍କାନାଳରେ ପୁଣି ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ!

ଢେଙ୍କାନାଳ/ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଲୋକେ ଭୁଲି ନଥିବା ବେଳେ ଢେଙ୍କାନାଳ ସଦର ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଜିଲ୍ଲାର କଙ୍କଡ଼ହାଡ଼ ଅଂଚଳର ଛାତ୍ରୀ ସପ୍ତଶର୍ଯ୍ୟା ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲା। ତା’ର ପେଟ ଦରଜ ହେବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ ଅଣାଯାଇଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ନାବାଳିକାକୁ ଏବେ ଏକ ନିଦ୍ଧିଷ୍ଟ ସ୍ଥାନରେ ଗୋପନରେ ରଖାଯାଇଛି। ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଯାହା ଜିଲ୍ଲାର ଆଇନ ଶୃଙ୍ଖଳାକୁ ଆଂଗୁଠି ନିର୍ଦ୍ଦେଶ କରୁଛି। ଏଠାରେ ମହିଳା ଓ ଶିଶୁ ସୁରକ୍ଷିତ ନୁହନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛି। ଏଣୁ ସରକାର ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ କଡା ଆଇନ ଆଣନ୍ତୁ ବୋଲି ଦାବି କରିଛି।

ବିଗତ ଚାରି ଦିନ ଭିତରେ ଏଭଳି ଲଜ୍ଜାଜନକ ଘଟଣା ୪ଟି ଲୋକଲୋଚନକୁ ଆସିଛି। ପ୍ରଥମ ଦିନରେ ଦାରିଙ୍ଗବାଡିର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା, ଦ୍ୱିତୀୟ ଦିନରେ ଜି.ଉଦୟଗିରିରେ ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା, ତୃତୀୟ ଦିନରେ ଏକ କଲେଜ ଛାତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରଲ ଓ ଆଜି ତୁମୁଡିବନ୍ଧ ଥାନା ଅଂଚଳରେ ଜଣେ ନଅ ବର୍ଷର ଶିଶୁ କନ୍ୟାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଘଟଣା ଜିଲ୍ଲାରେ ମହିଳା କେତେ ସୁରକ୍ଷିତ ତାହା ପ୍ରମାଣ କରୁଛି।

 

ସମ୍ବନ୍ଧିତ ଖବର