ଢେଙ୍କାନାଳ : ଶିରିପା ପାଇଁ ଖୋଜା ନୂଆ ଚେହେରା

ଢେଙ୍କାନାଳ,(ପ୍ରସନ୍ନ ପଟ୍ଟନାୟକ): ୨୦୧୯ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ଅଙ୍କକଷା। କିଏ କେଉଁ ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବ, କାହାକୁ ଟିକେଟ୍‌ ରୂପକ ଶିରିପା ପିନ୍ଧାଇ ପ୍ରମୁଖ ବିଜେପି, ବିଜେଡି ଏବଂ କଂଗ୍ରେସ ଦଳ ମଇଦାନକୁ ଲଢ଼େଇ ପାଇଁ ପଠାଇ‌େବ ସେଥିପାଇଁ ରାଜନୈତିକ ମହଲରେ ବେଶ୍‌ ତତ୍ପରତା ପ୍ରକାଶ ପାଇଲାଣି। ଏଥର ଜିଲ୍ଲାରେ ପ୍ରମୁଖ ତିନି ଦଳ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ରାଜନୈତିକ ମହଲ ମତ ପ୍ରକାଶ କରିଛନ୍ତି।

ଟିକେଟ୍‌ ହାତେଇବା ପାଇଁ ସବୁ ଦଳରେ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଦଳର ଜିଲ୍ଲାସ୍ତରୀୟ କର୍ମୀମାନେ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ରାଜନୈତିକ ସମୀକରଣ କରି ଭିତରିଆ ପ୍ରାର୍ଥୀମାନଙ୍କର ତାଲିକା ଦଳୀୟ ମୁଖ୍ୟଙ୍କ ନିକଟକୁ ପଠାଉଛନ୍ତି। ଏହି ପ୍ରାର୍ଥୀ ତାଲିକାରେ ଆଶାୟୀ ପ୍ରାର୍ଥୀମାନେ ନିଜ ନାମକୁ ସ୍ଥାନ ଦେବା ଲାଗି ବିଭିନ୍ନ ସ୍ତରରେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏପରିକି ନିଜ ସ୍ୱାର୍ଥ ପାଇଁ ଦଳଡିଆଁ ଦେବାକୁ କେତେକ ପ୍ରାର୍ଥୀ ମଧ୍ୟ ଗୋଡ଼ ଟେକି ବସିେଲଣି।

ଉଣେଇଶି ନିର୍ବାଚନ ମହାକୁମ୍ଭରେ ଏଥର ଭୋଟର ପୁରୁଣା ମୁହଁ ପରିବର୍ତ୍ତେ ନୂଆ ମୁହଁ ଚାହୁଁଥିବା ପରିେପ୍ରକ୍ଷୀରେ ରାଜନୀତି ସରଗରମ ଧରିଛି। ଯୁବନେତାମାନଙ୍କ ନାମକୁ ପ୍ରତି ଦଳ ଅଗ୍ରାଧିକାର େଦଉଛନ୍ତି। ଅନ୍ୟ େଗାଟିଏ ମହଲ ଅଭିଜ୍ଞ ନେତାଙ୍କୁ ଅଗ୍ରାଧିକାର ଦେଇ ରାଜନୈତିକ ଚର୍ଚ୍ଚାକୁ ବଳ େଦଉଛନ୍ତି।

ବିଜେଡି ଟିକେଟ୍‌ ପାଇଁ ସବୁଠୁ ଅଧିକ ଆଶାୟୀ ରହିଛନ୍ତି। ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରୋଜ ସାମଲ, ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ସୁଧୀର ସାମଲ, ଅନୁଗୁଳ କୋ-ଅପରେଟିଭ୍‌ ବ୍ୟାଙ୍କ ସଭାପତି ତଥା ରାଜ୍ୟ ସମବାୟ ସମିତି ଅଧ୍ୟକ୍ଷ ଅକ୍ଷୟ ମହାନ୍ତି, ଯୁବ ଶିଳ୍ପଦ୍ୟୋଗୀ ତଥା ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ପୂର୍ବତନ ଡ୍ରିଟ୍ ଅଧ୍ୟକ୍ଷ ଦେବୀପ୍ରସାଦ ଭୂତିଆ, ରାଜ ପରିବାରର ଯୁବ ଶିଳ୍ପୋଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଜିଲ୍ଲା ସାଧାରଣ ସଂପାଦକ ଭରତ ଦାସ, ଗଁଦିଆର ଯୁବ ସଂଗଠକ ଇଂ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁରଜ କୁମାର ମହାପାତ୍ର, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଦଳର ଆସ୍ଥା ହରାଇଥିବା ବେଳେ ପୁନର୍ବାର ନିଜ ପାଇଁ ଲବି ଜାରି ରଖିଥିବା ଆଲୋଚନା ହେଉଛି। ସେଥିରେ ଅସଫଳ ହେଲେ ନିଜ ପତ୍ନୀ ରଞ୍ଜିତା ନନ୍ଦଙ୍କୁ ପ୍ରାର୍ଥୀ କରାଇବା ପାଇଁ ବିଭିନ୍ନ ସ୍ତରରେ ଲବି ଚଳାଇଛନ୍ତି। ସାଂସଦ ତଥାଗତ ସତପଥୀଙ୍କ ଧର୍ମ ପତ୍ନୀ ଆଦ୍ୟାଶା ଶତପଥୀ ମଧ୍ୟ ଚଳିତ ଥର ଢେଙ୍କାନାଳର ବୋହୂ ହିସାବରେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ଜୋର୍ ଧରିଛି ।

ସେହିପରି ବିଜେପିର ଆଶାୟୀ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଓବିସି ସେଲ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୋଜା ନଳିନୀ ମହାଳିକ, ବିଜେପି ଜିଲ୍ଲା ଉପସଭାପତି ରମେଶ ସାମଲ, ବରିଷ୍ଠ ଆଇନ୍‌ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଯୁବନେତା ତଥା ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇଙ୍କ ନାମ ସାମ୍ନାକୁ ଆସୁଛି।

ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ବ୍ରିଗେଡିୟର ରାଜା କାମାକ୍ଷାପ୍ରସାଦ ସିଂହଦେଓ ଚଳିତ ଥର ପୁନର୍ବାର ଜିଲ୍ଲା କଂଗ୍ରେସର ମଙ୍ଗ ଧରି ଥିବାରୁ କର୍ମୀମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସୁକତା ପ୍ରକାଶ ପାଇଛି। ସେଥିପାଇଁ ରାଜାଙ୍କ ହାୱାରେ ଟିକେଟ୍ ପାଇଁ ନିଜକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ଚଳିତ ଥର ବହୁ ଯୁବକର୍ମୀ ବିଧାୟକ ଟିକେଟ୍‌ ପାଇଁ ଆଶାୟୀ ରହିଛନ୍ତି। କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ରହିଛନ୍ତି। ତାଙ୍କ ବ୍ୟତୀତ ବର୍ତ୍ତମାନ ଜିଲ୍ଲା ସଭାପତି ଥିବା ସୁରେଶ କୁମାର ପାଣିଗ୍ରାହୀ ଏବଂ ପୂର୍ବତନ ନଗରପାଳ ତଥା ଜିଲ୍ଲା ଉପସଭାପତି ଶ୍ରୀଧର ସାହୁ, ପିସିସି ସଂପାଦକ ତଥା ଯୁବନେତା ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର, ଯୁବ ଶିଳ୍ପୋଦ୍ୟୋଗୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ସୁନୀଲ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ଯୁବନେତା ଶୁଭପ୍ରସାଦ ପଣ୍ଡା, ରଞ୍ଜନ ନାୟକ ପ୍ରମୁଖ ବିଧାୟକ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି। ସେହିପରି ମହିଳାମାନଙ୍କ ମଧ୍ୟରେ ବରିଷ୍ଠ ଆଇନ୍‌ଜୀବୀ ତଥା ଏଆଇସିସି ସଦସ୍ୟା ସୁଭାଷିନୀ ମହାକୁଡ, ଜିଲ୍ଲା ମହିଳା କଂଗ୍ରେସ ସଭାନେତୀ ତଥା ଆଇନଜୀବୀ ମମତାଞ୍ଜଳି ବେହେରା ପ୍ରାର୍ଥୀ ପାଇଁ ଆଶାୟୀ ଥିବା କୁହାଯାଉଛି।

(ଢେଙ୍କାନାଳ) ୨୦୧୪ ନିର୍ବାଚନ ଫଳାଫଳ

ବିଜେଡି   ସରୋଜ କୁମାର ସାମଲ   ୬୮,୯୮୦
ବିଜେପି   କୃଷ୍ଣଚନ୍ଦ୍ର ପାତ୍ର              ୬୫,୫୦୫
କଂଗ୍ରେସ  ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ର   ୩୦,୬୪୩
ବିଏସ୍‌ପି   କାମାକ୍ଷାପ୍ରସାଦ ବିହାରୀ   ୨,୦୩୬

ସମ୍ବନ୍ଧିତ ଖବର