ଯୌତୁକ ନିର୍ଯାତନା ମାମଲା : ସ୍ୱାମୀ, ଶାଶୂ, ଶ୍ୱଶୁରଙ୍କୁ ୬ ମାସ କାରାଦଣ୍ଡ

ଢେଙ୍କାନାଳ : ମହିଷାପାଟର ଭାରତୀ ନାଏକଙ୍କ ଯୌତୁକ ନିର୍ଯାତନା ମାମଲାର ବିଚାରକରି ପରିବାର ଅଦାଲତର ବିଚାରପତି ଗୀତାଞ୍ଜଳି ନନ୍ଦ ଆଜି ତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ୩ ଜଣଙ୍କୁ ବିଚାରପତି ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି।

ସୂଚନା ଅନୁଯାୟ, ଭାରତୀ ନିଜ ଗାଁର ବୈରାଗୀ ନାଏକଙ୍କ ପୁଅ ଗିରିଶଙ୍କୁ ୨୦୦୭ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବିବାହର କିଛି ଦିନ ପରେ ସ୍ୱାମୀ, ଶ୍ୱଶୁର ଓ ଶାଶୂ ରମା ନାଏକ ଅଧିକ ୨୫ ହଜାର ଟଙ୍କା ଯୌତୁକ ଦାବିକରି ଭାରତୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ। ଭାରତୀ ନିଜ ବାପାଙ୍କୁ ଏହା ଜଣାଇ ଟଙ୍କା ମାଗିଥିଲେ ମଧ୍ୟ ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଟଙ୍କା ଦେଇପାରିନଥିଲେ। ଫଳରେ ଶାଶୂଘର ଲୋକେ ଭାରତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେବା ସହ ମାଡ଼ ମାରିଥିଲେ। ଟଙ୍କା ନଆଣିଲେ ଭାରତୀଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବେ ବୋଲି ଗିରିଶ ଧମକ ଦେଇଥିଲେ।

ନିର୍ଯାତନା ଅସହ୍ୟ ହେବାରୁ ଭାରତୀ ୨୦୧୩ ନଭେମ୍ବର ୨୦ ତାରିଖରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂପର୍କରେ ପୁଲିସ କେସ୍‌ ନମ୍ବର ୨୭୨/୨୦୧୩ରେ ଏକ ମାମଲା ରୁଜୁକରିଥିଲା। ଜିଲ୍ଲା ପରିବାର ଅଦାଲତ ବିଚାରପତି ସୁଶ୍ରୀ ନନ୍ଦ ଏହି ମାମଲା(ଜିଆର୍‌ କେସ୍‌ ନମ୍ବର ୧୩୪୨/୨୦୧୩)ର ବିଚାରକରି ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କୁ ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି। ଏପିିପି ସୁଶାନ୍ତ ହୋତା ଓ ଲକ୍ଷ୍ମୀଧର ପଣ୍ଡା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର