ଢେଙ୍କାନାଳ: ଗ୍ରାମୀଣ ଡାକ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଆଜି ୧୫ଦିନରେ ପହଞ୍ଚିଛି। ସେଥିପାଇଁ ଡାକ କାମ ବ୍ୟାହତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଢେଙ୍କାନାଳ ମୁଖ୍ୟ ଡାକଘରେ ଆନ୍ଦୋଳନରତ କର୍ମଚାରୀ ଏବଂ ଲୋକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଜିଡିଏସ୍ କର୍ମଚାରୀଙ୍କ ସପ୍ତମ ବେତନ ଲାଗୁ, କମଳେଶ ଚନ୍ଦ୍ର ରିପୋର୍ଟକୁ ତୁରନ୍ତ ଅନୁମୋଦନ କରିବା ଦାବିରେ ଗ୍ରାମୀଣ ଡାକ କର୍ମଚାରୀମାନେ ଗତମାସ ୨୨ତାରିଖରୁ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ସେଥିପାଇଁ ଦୂର ଦୂରାନ୍ତରୁ ଡାକଘର କାମରେ ଆସୁଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି। ଆନ୍ଦୋଳନକାରୀମାନେ ଗତ ଦୁଇ ଦିନ ହେଲା ମୁଖ୍ୟ ଡାକଘର ଫାଟକ ବନ୍ଦ କରି କାର୍ଯ୍ୟ ନ କରିବାକୁ ଗ୍ରାହକମାନଙ୍କୁ ଅନୁରୋଧ କରି ଫେରାଇ ଦେଉଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଆଜି କେତେକ ଗ୍ରାହକ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ସେଥିପାଇଁ ମୁଖ୍ୟ ଡାକଘରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଘଟଣା ସ୍ଥଳରେ ମଣ୍ଡଳ ଅଧୀକ୍ଷକ ସଞ୍ଜୟ କୁମାର ପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବକ ହୋଇଥିଲା।
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର