ବସ୍‌ ଛାତରେ ନିଆଁଁ; ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ:କଟକରୁ ଢେଙ୍କାନାଳ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ମଧ୍ୟାହ୍ଣରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ବେଳକୁ ଏହାର ଛାତ ଉପରେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ରହିଥିବା ବେଳେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତି ଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀବାହୀ ଶ୍ରୀରାମ ବସ୍‌ (ଓଡି-୦୫ ଏଫ୍‌ ୮୧୮୮) ଆଜି ଦିନ ଗୋଟାଏ ୪୫ ମିନିଟ୍‌ ସମୟରେ କଟକରୁ ଆସି ଢେଙ୍କାନାଳ ବସ୍‌ଷ୍ଟାଣ୍ଡଠାରେ ପହଞ୍ଚିଥିଲା। ବସ୍‌ରୁ ଯାତ୍ରୀମାନେ ଓହ୍ଲାଉଥିବା ବେଳେ ବସ୍‌ ଛାତ ଉପରେ ନିଆଁ ଲାଗିଥିବା ଦେଖିଥିଲେ। ଏହା ଜାଣିବା ପରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। କେତେକ ଯାତ୍ରୀ ବସ୍‌ର କାଚ ଭାଙ୍ଗି ପଦାକୁ ବାହାରି ଆସିଥିବା ବେଳେ ଅନ୍ୟମାନେ ବସ୍‌ର ଦ୍ୱାର ଦେଇ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ ବସ୍‌ର ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ବସ୍‌ରେ ଥିବା ପ୍ରାୟ ୭୦ ଜଣ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଥିଲେ। ବସ୍‌ ଛାତ ଉପରେ କିପରି ନିଆଁ ଲାଗିଲା ତାହା କେହି କହିପାରି ନଥିଲେ। ବସ୍‌ରେ ନିଆଁ ଲାଗିବା ସଂପର୍କରେ ବସ୍‌ର ମାଲିକ ଅଦ୍ୟାବଧି ପୁଲିସ୍‌ରେ କୌଣସି ଅଭିଯୋଗ କରିନଥିବା ଟାଉନ୍‌ ଥାନା ଅଧିକାରୀ ଅଭିନବ ଡାଳୁଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର