ଢେଙ୍କାନାଳରେ ଘୋଷଯାତ୍ରା ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ମହାବାହୁ

ଢେଙ୍କାନାଳ: ହରିବୋଲ, ହୁଳହୁଳି, ଘଣ୍ଟନାଦ ‘ଜୟ ଜଗନ୍ନାଥ’ ଧ୍ବନି ମଧ୍ୟରେ ଢେଙ୍କାନାଳରେ ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇଥିଲେ। ଭକ୍ତି ବିଭୋର ଜନସାଧାରଣ ଅପୂର୍ବ ଉଲ୍ଲାସ ମଧ୍ୟରେ ଶ୍ରୀ ଜିଉମାନଙ୍କ ରଥ ଟାଣି ନେଇଥିଲେ। ବଡ଼ଦାଣ୍ଡରେ ସତେ ଯେମିତି ଭକ୍ତ ଓ ଭଗବାନ ହୋଇଥିଲେ ଏକାକାର। ନିର୍ଧାରିତ ସମୟ ମଧ୍ୟରେ ଦୁଇରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲେ।
ଢେଙ୍କାନାଳ ଦେଉଳସାହିସ୍ଥିତ ବଳଦେବଜିଉଙ୍କ ମନ୍ଦିରରେ ପ୍ରତ୍ୟୁଷରୁ ପାରମ୍ପରିକ ନୀତି ଅନୁଯାୟୀ ଠାକୁରଙ୍କ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ମହାପ୍ରଭୁଙ୍କ ସ୍ନାନମାର୍ଜନା, ବଲ୍ଲଭ, ସକାଳ ଧୂପ ଆଦି ନୀତିକାନ୍ତି ପରେ ରଥ ପ୍ରତିଷ୍ଠା ହୋଇଥିଲା। ଶ୍ରୀଜିଉମାନେ ସେନାପଟା ଲାଗି ପହଣ୍ଡି ବେଶ ହୋଇଥିଲେ। ଦିନ ୧୦ଟା ୪୫ରେ ସେବାୟତମାନେ ଆଜ୍ଞାମାଳ ଧରି ମହାପ୍ରଭୁଙ୍କ ପ୍ରଥମ ସେବକ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ନିମନ୍ତ୍ରଣ କରିବାକୁ ନଅରକୁ ଯାଇଥିଲେ। ରାଜନଅରରେ ପୂଜିତ ବଳରାମ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସେବାୟତମାନେ ଘଣ୍ଟଧ୍ବନି ମଧ୍ୟରେ ବଳରାମ ମନ୍ଦିରକୁ ଆଣିଥିଲେ। ରାଜା ଶ୍ରୀ ସିଂହଦେଓ, ଯୁବରାଜ ଅମରଜ୍ୟୋତି ସିଂହଦେଓ ସପରିବାର ପ୍ରଭୁ ବଳରାମଙ୍କ ମନ୍ଦିରରେ ପହଞ୍ଚି ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିଥିଲେ। ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥଙ୍କ ସହିତ ରାଜନଅରରୁ ଆସିଥିବା ଜିଉମାନଙ୍କ ମଙ୍ଗଳାର୍ପଣ, ମଣିବନ୍ଧନ, ରାଜଦର୍ଶନ ଓ ଆରତ୍ରିକ କାର୍ଯ୍ୟ ସଂପନ୍ନ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଣିବନ୍ଧନ, ପାଟଡୋର ଲାଗି ପରେ ଦିନ୧୧ଟା ୫୨ ମିନିଟରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହି ଅବସରରେ ଅଧାବାଟରେ ୧୨ଟା ୫୪ରେ ପ୍ରଭୁ ଜଗନ୍ନାଥଙ୍କୁ ଦଧିବାମନ ଜିଉଙ୍କ ମନ୍ଦିର ସମ୍ମୁଖରେ ଅଧରପଣା ଲାଗି କରାଯାଇଥିଲା। ଠାକୁର ରଥ ସମ୍ମୁଖରେ ପହଞ୍ଚିବା ପରେ ଦକ୍ଷିଣ ବନ୍ଦାପନା ଓ ରଥ ପରିକ୍ରମା କରାଯାଇଥିଲା। ଜିଉମାନଙ୍କୁ ଦିନ ୧ଟା ୨୪ ମିନିଟ୍‌ରେ ରଥାରୂଢ଼ କରାଯାଇଥିଲା। ପଞ୍ଚାମୃତ ଲାଗି ପରେ ରାଜା ଶ୍ରୀ ସିଂହଦେଓ ଅପରାହ୍ଣ ୨ଟାବେଳେ ଛେରା ପହଁରା କରିଥିଲେ। ପରେ ରାଜା ଶ୍ରୀ ସିଂହଦେଓ ରଥରେ ମୁଣ୍ଡ ଲଗାଇ ଠେଲିବା ପରେ ଦିନ ୨ଟା ୧୦ ମିନିଟ୍‌ରେ ପ୍ରଥମ ରଥ ଟଣା ଆରମ୍ଭ ହୋଇ ବିରତି ଦିଆଯାଇଥିଲା। ଅପରାହ୍‌ଣ ୩ ଟା ୨୦ରେ ପାରମ୍ପରିକ ରଥଟଣା ଆରମ୍ଭ ହୋଇଥିଲା। ୩ଟା ୪୦ମିନିଟ୍‌ରେ ସାନରଥକୁ କେବଳ ମହିଳାମାନେ ଟାଣି ଥିଲେ। ବଡ଼ରଥ ସଂଧ୍ୟା ୬ଟା ୪ରେ ଏବଂ ସାନରଥ ୬ଟା ୧୦ ମିନିଟ୍‌ରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ। ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ପ୍ରଶାସନର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳା ରକ୍ଷା ପାଇଁ ୪ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ମୁତୟନ ହୋଇଥିଲେ । ବିଭିନ୍ନ ମହିଳା ଅନୁଷ୍ଠାନ ପକ୍ଷରୁ ରଥ ସମ୍ମୁଖରେ ଭଜନ, କୀର୍ତ୍ତନ, ନୃତ୍ୟ ପରିବେଷଣ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ଅନୁଗୁଳ କୋ ଅପରେଟିଭ୍ ବ୍ୟାଙ୍କ କାର୍ଯ୍ୟାଳୟ ଛାତରେ ରଥଯାତ୍ରାର ଧାରାବିବରଣୀ ଦିଆଯାଇଥିଲା। ଏସ୍‌ପି ଅନୁପମା ଜେମ୍ସଙ୍କ ତତ୍ୱାବଧାନରେ ଏଏସ୍‌ପି ବିନୟକୃଷ୍ଣ କାମିଲା, ଏସ୍‌ଡିପିଓ ଶୀହର୍ଷ ମିଶ୍ର, ଟାଉନ୍ ଥାନାଧିକାରୀ ଅଭିନବ ଡାଳୁଆ, ସଦରଥାନା ଅଧିକାରୀ ସଂଧ୍ୟାରାଣୀ ଦେହୁରୀଙ୍କ ସମେତ ବହୁ ପୁଲିସ୍ ଅଧିକାରୀ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ଦୈନିକ ପରିବା ବିକ୍ରେତା ସଂଘ, ଶ୍ରୀରାମ ସେବା ସଦନ, ମାରୱାଡ଼ି ଯୁବମଞ୍ଚ, ରଥଗଡା ଯୁବକସଂଘ, ସତ୍ୟସାଇ ସେବାଦଳ, ଆର୍ଟ ଅଫ୍ ଲିଭିଂ, କୈବର୍ତ୍ତ ମହାସଂଘ, ସ୍କାଉଟ୍ ଓ ଗାଇଡ୍, ସେଣ୍ଟଜନ୍ ଆମ୍ବୁଲାନ୍ସ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କ ପାଇଁ ଖେଚୁଡି, ଉପମା ପ୍ରଭୃତି ପ୍ରସାଦ, ଦହି ସରବତ, ପାନୀୟ ଜଳ, ଆଶୁ ଚିକିତ୍ସା, ଆମ୍ବୁଲାନ୍‌ସ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର