ମାଟ୍ରିକ୍‌ରେ ଆଶାନୁରୂପ ନମ୍ବର ମିଳିଲାନି:ଜୀବନ ହାରିଲେ ଛାତ୍ରୀ

କିଶୋରନଗର: ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଥିଲେ। କିନ୍ତୁ ଆଶାନୁରୂପ ନମ୍ବର ମିଳିନଥିଲା। ମାନସିକ ଚାପ ଏମିତି ହେଲା ଯେ ଶେଷରେ କେଶରେ ଲଗାଯାଉଥିବା ରଂଗ ପିଇ ଜୀବନ ହାରିଲେ ଛାତ୍ରୀ। କିଶୋରନଗର ଥାନା ଝିଙ୍କବାହାଳ ଗାଁ ମହୁଲମାଳ ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାହିର ନକୁଳ ମିର୍ଧାଙ୍କ ଝିଅ ସୁମିତ୍ରା ମିର୍ଧା ପରୀକ୍ଷାରେ ଭଲ ନମ୍ବର ନମିଳିବାରୁ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଓସ୍କାପାଲି ହାଇସ୍କୁଲ୍‌ର ଛାତ୍ରୀ ସୁମିତ୍ରା ମାଟ୍ରିକ୍‌ ଫଳ ଦେଖିବା ପାଇଁ ନିଜେ ଯାଇଥିଲେ। ଘରେ ଆସି ପାସ୍‌ କରିଛି ବୋଲି ପରିବାର ଲୋକଙ୍କୁ କହିଥିଲେ। ହେଲେ ଭଣ ନମ୍ବର ମିଳିନଥିବା ନିରାଶ ସଂପର୍କରେ କେହି ଜାଣି ପାରିନଥିଲେ। ଗତକାଲି ପରିବାର ଲୋକେ କେନ୍ଦୁପତ୍ର ଶୁଖାଇବା ପାଇଁ ଯାଇଥିବା ବେଳେ ଘରେ ଏକୁଟିଆ ରହିବାର ସୁଯୋଗ ନେଇ ସୁମିତ୍ରା କେଶରେ ଲଗାଯାଉଥିବା ରଂଗ ପିଇ ଦେଇଥିଲେ। ପରିବାର ଲୋକ କାମରୁ ଫେରିବା ପରେ ଦେହହାତ ଝିମିଝିମି ହେଇଥିବା ସୁମିତ୍ରା କହିଥିଲେ। ତାଙ୍କୁ ସଂଗେ ସଂଗେ ପରିବାର ଲୋକେ କିଶୋରନଗର ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର