ଗାଁ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ : ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି। ଆଜି ଏଭଳି ଏକ ଘଟଣା ଘଟିଛି ବାଲିମି ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ କେତେକ ଦୁର୍ବୃତ୍ତ ନିସ୍ତୁକ ପିଟି ହାତଗୋଡ଼ ଭାଙ୍ଗି ଦେବା ପରେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଫୁଟାଇ ଚମ୍ପଟ ମାରିଛନ୍ତିି।

ସୂଚନା ଅନୁଯାୟୀ, ରଞ୍ଜାଗୋଳ ଗାଁ ସଭାପତି ଲିଙ୍ଗରାଜ ସାହୁ (୪୪) ସକାଳେ ରାସୋଳରୁ ପରିବା କିଣି ନିଜ ଅଟୋରେ ଘରକୁ ଫେରୁଥିଲେ। ପୂର୍ବାହ୍‌ଣ ପ୍ରାୟ ସାଢ଼େ୮ଟା ବେଳେ ଖଜୁରିଆକଟା ଛକରେ ଏକ କାର୍‌ ତାଙ୍କ ଅଟୋ ସାମ୍ନାରେ ଆସି ଅଟକିଥିଲା। କାର୍‌ରୁ ଦୁର୍ବୃତ୍ତମାନେ ବାହାରି ଶ୍ରୀ ସାହୁଙ୍କୁ ଲୁହା ଛଡ଼ରେ ନିସ୍ତୁକ ପିଟିବା ସହ ତାଙ୍କ ଗୋଡ଼କୁ ୩ ରାଉଣ୍ଡ ଗୁଳି ମାରି ଫେରାର୍‌ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ସାହୁଙ୍କୁ ପ୍ରଥମେ ଖଜୁରିଆକଟା ଡାକ୍ତରଖାନା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସଂପର୍କରେ ଶ୍ରୀ ସାହୁ କହିଛନ୍ତି ଗାଁଠାରୁ ୨୦୦ ମିଟର ଦୂରରେ ଏକ ବଡ଼ କ୍ରସର ସ୍ଥାପନ ପ୍ରସ୍ତାବକୁ ଗ୍ରାମବାସୀ ବିରୋଧ କରୁଥିଲେ। ପ୍ରସ୍ତାବିତ କ୍ରସରକୁ କେନ୍ଦ୍ରକରି ତାଙ୍କୁ ଗୁଳି ମରାଯାଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଘଟଣା ସଂପର୍କରେ ଶ୍ରୀ ସାହୁଙ୍କ ପୁଅ ସିପୁନ ସାହୁ ବାଲିମି ଥାନାରେ ଅଭିଯୋଗ କରିଛନ୍ତି। ସିପୁନଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଆଶିଷ ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର