ପତ୍ନୀଙ୍କୁ ପିଟିବାରୁ ସ୍ୱାମୀକୁ ଗଛରେ ବାନ୍ଧିଲେ

ଭୁବନ: ଭୁବନ ଥାନା ନଟାକଟା କଲୋନିର ସନ୍ତୋଷ ବେହେରା ଓରଫ ବାନୁଆଙ୍କୁ ସ୍ଥାନୀୟ ଅଧିବାସୀଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ବାପାଙ୍କ ମୃତଦେହ ସହ ଶ୍ମଶାନକୁ ନଯିବା ଏବଂ ପତ୍ନୀ ଓ ପିଲାଙ୍କୁ ନିର୍ଧୁମ୍‌ ପିଟିବା ଯୋଗୁଁ ସ୍ଥାନୀୟ ଲୋକେ ତାଙ୍କୁ ଗଛରେ ବାନ୍ଧିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସନ୍ତୋଷଙ୍କ ବାପା ମୁରଲୀ ବେହେରା(୫୬)ଙ୍କର ଗତ ୭ ତାରିଖରେ ମୃତ୍ୟୁ ଘଟିଥିଲା। ସେ ବାପାଙ୍କ କୋକୋଇ କାନ୍ଧେଇଲେ ନାହିଁ ବା ଶ୍ମଶାନକୁ ଗଲେନାହିଁ। ଭୁବନ ଟାଉନରେ ଅନ୍ୟ ଏକ ସ୍ଥାନରେ ସେ ରହୁଥିବାବେଳେ ତାଙ୍କର ପରକୀୟା ପ୍ରେମ ଥିବା ଅଞ୍ଚଳବାସୀ ସଂଦେହ କରିଛନ୍ତି। ବାପାଙ୍କ ମୃତ୍ୟୁର ୨ ଦିନ ପରେ ସେ ଘରକୁ ଯାଇ ପତ୍ନୀ ଜ୍ୟୋତ୍ସା ବେହେରା ଓ ୨ ପୁଅଙ୍କୁ ନିସ୍ତୁକ ପିଟିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଏହା ସହିନପାରି ସନ୍ତୋଷଙ୍କୁ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଜ୍ୟୋତ୍ସା ଏ ସଂପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ସନ୍ତୋଷଙ୍କୁ ଗିରଫ କରିଥିଲା। ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର