ମହାପଦା ସଂଘବଦ୍ଧ ଆକ୍ରମଣ ଘଟଣା:ଅଭିଯୁକ୍ତ ଗିରଫ ଦାବିରେ ପୁଣି ରାସ୍ତା ଅବରୋଧ

ଯୋରନ୍ଦା: ଯୋରନ୍ଦା ଫାଣ୍ଡି ମହାପଦା ଗାଁର ୪ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯିବା ଘଟଣାର ୮ ଦିନ ବିତିଲାଣି। ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁପୁଲିସ ଗିରଫ ନକରିବାରୁ ମହାପଦା ଗ୍ରାମବାସୀ ଆଜି ଦ୍ବିତୀୟ ଥର ରାସ୍ତାରୋକ କରିଥିଲେ। ସେମାନେ ଆଜି ଦିନ ୯ଟାବେଳେ ଯୋରନ୍ଦା-ବଣସିଂହ ରାସ୍ତା ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରଜ ଅବସରରେ ମହାପଦାରେ ନାଟକ ମଞ୍ଚସ୍ଥ ସମୟରେ ଢେଙ୍କାନାଳ ସଦର ଥାନା ଭୂଇଁପୁର ଗଁାର ରାଜୁ ମଲିକଙ୍କ ସହିତ ମହାପଦା ଗାଁର କେତେକ ଯୁବକଙ୍କର କୌଣସି କାରଣରୁ ବଚସା ହୋଇଥିଲା। ତା ପରଦିନ ଅର୍ଥାତ୍‌ ଗତ ୧୫ ତାରିଖ ଦିନ ୧୦ଟାବେଳେ ମହାପଦା ଗାଁର ରାଜେଶ ନାଥ, ମୃତ୍ୟୁଞ୍ଜୟ ନାଥ, ଧର୍ମେନ୍ଦ୍ର ନାଥ ଓ ଆଶୁତୋଷ ନାଥଙ୍କୁ ଗାଁ ପୋଖରୀ ନିକଟରେ ରାଜୁ ଓ ତାଙ୍କର ପ୍ରାୟ ୧୨ ଜଣ ସହଯୋଗୀ ଖଣ୍ଡା, କଟୁରି, ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଉପରୋକ୍ତ ୪ ଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେବା ସହିତ ଯୋରନ୍ଦା ଫାଣ୍ଡିରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ଗାଁରେ ଉତ୍ତେଜନା ଲାଗିରହିବାରୁ ପୁଲିସ ମୁତୟନ ହୋଇଥିଲେ। ଅଭିଯୁକ୍ତ ଗିରଫ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଏହା ମଧ୍ୟରେ ୮ ଦିନ ବିତିଯାଇଥିଲେ ବି ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ଗ୍ରାମବାସୀ ଆଜି ପୁନର୍ବାର ରାସ୍ତାରୋକ କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର