ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ପର୍ଦ୍ଦାଫାସ : ଆସାମରୁ ଗିରଫ ହେଲା ଯବାନ

ଢେଙ୍କାନାଳ : ଢେଙ୍କାନାଳ ସହରର ବହୁ ଚର୍ଚ୍ଚିତ ମୀନାବଜାର ପଟ୍ଟନାୟକ ସାହି ସ୍ଥିତ ସୁନା କାରିଗର ମଣ୍ଟୁ ପାତ୍ର ହତ୍ୟାକାଣ୍ତ ଉପରୁ ଆଜି ପୂରା ପର୍ଦା ଉଠିଛି। ପୁଲିସ ଯେଉଁ ହତ୍ୟା ଅଭିଯୁକ୍ତକୁ ବାନ୍ଧିଛି ତାହା କେବଳ ଢେଙ୍କାନାଳ ନୁହେଁ, ବରଂ ରାଜ୍ୟରେ ଚର୍ଚ୍ଚିତ ହୋଇଛି। ମୃତ ମଣ୍ଟୁଙ୍କ ସ୍ତ୍ରୀ ଅରୁଣା ପାତ୍ର ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ୍‌ ହୋଇଥିବା ବେଳେ ସେନା ବାହିନୀରେ ଚାକିରି କରୁଥିବା ହରିୟାଣାର ଯୁବକ ସଞ୍ଜୟ କୁମାର(୩୧) ଓରଫ ସୋନୁ ହତ୍ୟାକାରୀ। ସେଦିନ ସଞ୍ଜୟ ହରିୟାଣାରୁ ଢେଙ୍କାନାଳକୁ ଆସି ମଣ୍ଟୁଙ୍କୁ ଘରେ ପଶି ହତ୍ୟା କରିଥିଲା। କୌଶଳ କ୍ରମେ ଏଠାରୁ କଲିକତାକୁ ଚମ୍ପଟ ମାରିଥିଲା ବୋଲି ଢେଙ୍କାନାଳ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏସପି ସନ୍ତୋ‌ଷ କୁମାର ନାୟକ ସୂଚନା ଦେଇଛନ୍ତି। ଅରୁଣାଙ୍କ ଫେସବୁକ୍ ଏକାଉଣ୍ଟ୍‌ ଘଣ୍ଟା ଚକଟା ପରେ ପୁଲିସ ସବୁ ପ୍ରକାର ତଥ୍ୟ ପ୍ରମାଣ ହାତେଇଛି। ଫେସବୁକ୍ ପ୍ରେମରୁ ଅନୈତିକ ସମ୍ପର୍କ, ତା’ ପରେ ସପ୍ତାହେ କାଳ ଢେଙ୍କାନାଳରେ ରହି ସଞ୍ଜୟ କିପରି ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା ସାମ୍ବାଦିକ ସମ୍ମିଳନୀରେ ପୁଲିସ ତାହା ବୟାନ କରିଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ଘାଟାଲ ଥାନା ପର‌୍‌ମାନିପାଟିି ଗ୍ରାମର ସୁନା କାରିଗର ମଣ୍ଟୁଙ୍କୁ ଗତ ସେପ୍ଟେମ୍ବର ୩ତାରିଖରେ ଘରେ ପଶି କେହି ହତ୍ୟା କରିଥିଲା। ଘଟଣାର ମାଷ୍ଟରମାଇଣ୍ଡ୍‌ ସ୍ତ୍ରୀ ଅରୁଣା ଗିରଫ ହୋଇଥିବା ବେଳେ ହତ୍ୟା କରିଥିବା ପ୍ରେମିକ ଜଣକ କିଏ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ମୂଳ ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ପୁଲିସ ଅରୁଣାଙ୍କ ଫେସ୍‌ବୁକ୍‌ ଏକାଉଣ୍ଟକୁ ଘଣ୍ଟା ଚକଟା କରିବା ପରେ ପ୍ରେମିକ ସଞ୍ଜୟର ସୁରାକ ପାଇଥିଲା ପୁଲିସ। ପୁଲିସର କହିବା ମୁତାବକ, ଦୁଇଟି ପିଲାର ମା’ ହୋଇଥିବା ସତ୍ବେ ଅରୁଣା ନିଜକୁ ଅବିବାହିତ ଓ ଧନୀ ଘରର ଝିଅ ଦର୍ଶାଇ ଫେସବୁକରେ ଏକାଉଣ୍ଟ ଖୋଲିଥିଲେ। ଦୁଇ ବର୍ଷ ତଳେ ସଞ୍ଜୟଙ୍କ ସହ ଫେସବୁକରେ ପରିଚିତ ହୋଇଥିଲେ। ସଞ୍ଜୟଙ୍କ ନିଜ ଘର ହରିୟାଣାରେ। ସେ ଆଲ୍‌ହାବାଦର ୨୪୪ଆର୍ମି ରେଜିମେଣ୍ଟରେ ଯୋଗ ଦେଇ ଏବେ ଆସାମର ଦିବ୍ରୁଗଡ଼ ଜିଲ୍ଲା ଡିନ୍‌ଜାମ୍‌ରେ ଚାକିରି କରୁଥିଲେ। ଯଦିଓ ସଞ୍ଜୟ ବିବାହିତ, କିନ୍ତୁ ତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲା। ତେଣୁ ଅରୁଣାଙ୍କ ସହ ଫେସବୁକ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ଏତେ ନିବିଡ଼ ହୋଇଥିଲା ଯେ, ସଞ୍ଜୟ ଦୁଇ ଦୁଇ ଥର ଆସାମରୁ ଢେଙ୍କାନାଳକୁ ଆସି ଅରୁଣାଙ୍କୁ ଭେଟିଥିଲେ। ଏକ ଲଜରେ ମିଳାମିଶା କରି ନିଜ କର୍ମସ୍ଥଳକୁ ଫେରି ଯାଉଥିଲେ। ଅରୁଣା ନିଜ ସଂସାର ବିଷୟରେ ସଞ୍ଜୟଙ୍କୁ ଅନ୍ଧାରରେ ରଖିଥିଲେ। ସଞ୍ଜୟ ଓ ଅରୁଣା ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ।

ଅରୁଣାଙ୍କ ଏ ଫେସବୁକ୍ ପ୍ରେମ ସ୍ବାମୀ ମଣ୍ଟୁଙ୍କ ହାତରେ ଧରା ପଡ଼ିଥିଲା। ସେଥିପାଇଁ ଅରୁଣା ଏବଂ ମଣ୍ଟୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅରୁଣା ରାଗି କରି ନିଜ ବାପ ଘରକୁ ଚାଲି ଯାଇଥିଲେ। ସେଇଠୁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ ଅରୁଣା। ନିଜ ସ୍ବାମୀକୁ ଦୁଷ୍କର୍ମୀର ଆଖ୍ୟା ଦେଇ ପ୍ରେମିକ ସଞ୍ଜୟଙ୍କ ଆଗରେ ନିର୍ଯାତନାର ମିଛ ନାଟକ କରିଥିଲେ ଅରୁଣା। ଫୋନରେ ସଞ୍ଜୟକୁ କହିଥିଲେ, ମଣ୍ଟୁ ପାତ୍ର ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ବାରମ୍ବାର ନିର୍ଯାତନା ଦେଇ ଆସୁଛି। ମଣ୍ଟୁଠାରୁ ଉଦ୍ଧାର ନ କଲେ ସେ ଆତ୍ମହତ୍ୟା କରିବେ ବୋଲି ଅରୁଣା ଛଳନା କରି ସଞ୍ଜୟଙ୍କୁ କହିଥିଲା। ତେଣୁ ମଣ୍ଟୁଙ୍କୁ ରାସ୍ତାରୁ ହଟାଇବା ପାଇଁ ସଞ୍ଜୟ ରାଜି ହୋଇଥିଲା। ଏଥିପାଇଁ ସଞ୍ଜୟ ଜୁଲାଇ୨୩ରୁ ସେପ୍ଟେମ୍ବର ୨୩ପର୍ଯ୍ୟନ୍ତ ୨ମାସ ଛୁଟି ନେଇ ଘରକୁ ଆସିଥିଲେ। ଅଗଷ୍ଟ ୨୮ତାରିଖରେ ସଞ୍ଜୟ ଢେଙ୍କାନାଳ ଆସି ଏକ ହୋଟେଲ୍‌ରେ ରହିଥିଲା। ସେଠାରେ ସପ୍ତାହେ କାଳ ରହି ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ରଚିଥିଲା। ସେପ୍ଟେମ୍ବର ୩ତାରିଖରେ ଅରୁଣା ଖାଦ୍ୟରେ ନିଶା ଔଷଧ ଦେଇ ମଣ୍ଟୁଙ୍କୁ ଅଚେତ କରି ଦେବା ପରେ ଅପରାହ୍ଣ ସାଢ଼େ ୨ଟାରେ ଘରର ମୁଖ୍ୟ ରାସ୍ତା ଦେଇ ସଞ୍ଜୟ ଘରେ ପଶିଥିଲା। ମ˚ଟୁ ଶୋଇଥିବା ଘରର କବାଟକୁ ସଞ୍ଜୟ ବନ୍ଦ କରି ସାଥୀରେ ଆଣିଥିବା ଏକ କଟୁରିରେ ଅତି ନିର୍ମମ ଭାବେ ହାଣିଥିଲା। ମଣ୍ଟୁ ସବୁ ଦିନ ପାଇଁ ଆଖି ବୁଜିବା ପରେ ଘଟଣାସ୍ଥଳରୁ ସଞ୍ଜୟ ପଳାଇ ଆସି ଜଗନ୍ନାଥରୋଡ ମହ୍ଲାର ସାହିରେ ଥିବା ଏକ ପୋଖାରିରେ କଟୁରୀକୁ ଫିଙ୍ଗି ଦେଇ ବସ୍‌ରେ କଲିକତା ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର