କିରାସିନି ଢାଳି ନବବଧୂକୁ ଜାଳିଦେଲେ, ଶରୀର ୮୦ ପ୍ରତିଶତ ଦଗ୍‌ଧୀଭୂତ

ଢେଙ୍କାନାଳ : ବାହାଘର ମାତ୍ରେ ବର୍ଷେ ପୂରିଛି। ସମସ୍ତଙ୍କ୍‌ ଆପଣାର କରି ସୁଖ ସଂସାର କରିବାର ସ୍ୱପ୍ନ ତାଙ୍କର ମଉଳି ନାହିଁ। କିନ୍ତୁ ଶାଶୂଘର ପକ୍ଷରୁ ଆରମ୍ଭ ହୋଇଗଲା ନିର୍ଯାତନା। ସାରା ବର୍ଷ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲେ। ଶେଷରେ କିରାସିନି ଢାଳି ନିଆଁ ଲଗାଇଦେଲେ। ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ପୀଡ଼ିତା ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି।

ସଦର ଥାନା ତାଳବରକୋଟ ଗାଁରେ ଜଣେ ନବବଧୂକୁ ଗତକାଲି ରାତିରେ ଘଟିଥିବା ଏଭଳି ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗରୁ ପ୍ରକାଶ, ଗତବର୍ଷ ଅକ୍ଷୟ ତୃତୀୟାରେ ଲଳିତଙ୍କ ଝିଅ ଲିପିକା(୧୮)ଙ୍କ ସହ ତାଳବରକୋଟର ସ୍ୱର୍ଗତ ନିବାସୀ ମଲ୍ଲିକଙ୍କ ପୁଅ କୁଲୁ ମଲ୍ଲିକ(୩୨)ଙ୍କର ବୈଦିକ ରୀତିରେ ବିବାହ ହୋଇଛି। ଗତକାଲି ସଂଧ୍ୟାରେ କୌଣସି କାରଣରୁ ଲିପିକାଙ୍କ ସହ ତାଙ୍କ ଶାଶୂ ଏବଂ ନଣନ୍ଦ ଝଗଡ଼ା କରିଥିଲେ। ଲିପିକା ଏ କଥା ତାଙ୍କ ବାପଘରକୁ ଜଣାଇବା ସହ ତାଙ୍କୁ ସେଠାରୁ ନେଇଯିବାକୁ କହିଥିଲେ। ଏହାର ୧ ଘଣ୍ଟା ପରେ ଶାଶୂଘର ପକ୍ଷରୁ ଲିପିକା ପୋଡ଼ି ହୋଇଯାଇଥିବା ତାଙ୍କ ବାପଘରକୁ ଫୋନ୍‌ ଆସିଥିଲା। ବାପଘର ଲୋକେ ଶାଶୂଘରେ ପହଞ୍ଚି ଲିପିକା ଗୁରୁତର ଭାବେ ପୋଡ଼ି ଯାଇଥିବା ଦେଖିଥିଲେ। ରାତି ସାଢ଼େ ୧୧ଟାବେଳେ ଲିପିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତାଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏ ସଂପର୍କରେ ସଦର ଥାନାରେ କେସ୍‌ ନମ୍ବର ୨୯୭/୨୦୧୮, ଦଫା ୪୯୮(ଏ), ୩୦୭, ୩୨୩, ୩୪ ଆଇପିସି ୪ ଡିପି ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ମଳୟ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର