ତୈଳଦର ବୃଦ୍ଧି ପ୍ରତିବାଦ:କଂଗ୍ରେସ ପକ୍ଷରୁ ଢେଙ୍କାନାଳ ବନ୍ଦ ୪ରେ

ଢେଙ୍କାନାଳ: ତୈଳଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ୮ଟା ରୁ ୧୨ଟା ପର୍ଯ୍ୟନ୍ତ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ଏଥିନିମନ୍ତେ ଆଜି ସ୍ଥାନିୟ ଗାନ୍ଧୀ ମନ୍ଦିର ଠାରେ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪ ତାରିଖ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯିବ। ଏହି ସମୟରେ ସହରରେ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରାଯିବ। ତେବେ ମେଡିକାଲ୍‌ କେସ୍‌ ତଥା ଅନ୍ୟାନ୍ୟ ଜରୁରିକାଳୀନ ସେବାରେ ଯାଉଥିବା ଗାଡିକୁ ଛାଡ କରାଯିବ। ତା’ଛଡ଼ା ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ସହ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଖୋଲା ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଡିଜେଲ ଦର ୪୦ ଟଙ୍କା ଏବଂ ପେଟ୍ରୋଲ୍‌ ଦର ୫୦ ଟଙ୍କା ମଧ୍ୟରେ ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଧାରଣା ପରେ ଦଳ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ସାମିଲ ହେବା ପାଇଁ ଦଳ ପକ୍ଷରୁ ଆହ୍ଵାନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁଶ୍ରୀ ସୁଭାଶିନୀ ମହାକୁଡ, ପୂର୍ବତନ ନଗରପାଳ ଶ୍ରୀଧର ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ସୁନିଲ୍‌ ଦାସ, ପ୍ରେମ୍‌ ଶଙ୍କର ମିଶ୍ର, ରାଜ୍ୟ ଇଣ୍ଟେକ୍‌ଚୁଆଲ୍‌ ସେଲ୍‌ର ଆବାହକ ଡଃ. ତୁଷାର ନାୟକ, ବରିଷ୍ଠ ଆଡଭୋକେଟ୍‌ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ନିର୍ମଳ ମିଶ୍ର, ପ୍ରଫୁଲ୍ଲ ସାହୁ, ପିସିସି ସଭ୍ୟ ପ୍ରକାଶ କୁମାର କୂଅଁର, ବିଜୟ ସ୍ୱାଇଁ, ରୁଦ୍ର ପ୍ରକାଶ ଶରଣ, ପ୍ରଶାନ୍ତ ନାୟକ, ବସନ୍ତ ବେହେରା, କଙ୍କଡାହାଡ ବ୍ଲକ୍‌ ସଭାପତି ସୁଧୀର ବାବୁ, ସୁବାଷ ଚନ୍ଦ୍ର ପାଲ୍‌, ଓଡାପଡା ବ୍ଲକ୍‌ ସଭାପତି ଶେଖ୍‌ ନାସର ଅଲ୍ଲୀ ଅହମ୍ମଦ ଖାନ୍‌, ହିନ୍ଦୋଳ ବ୍ଲକ୍‌ ସଭାପତି ଛବିରାଜ ବିଶ୍ୱାଳ, ଶେଷଦେବ ରାଉତ, ମହମ୍ମଦ ସମୀର, ମହମ୍ମଦ ତବ୍ରେସ୍‌ ଆଲମ, ଡମ୍ବରୁଧର ସେଠୀ, ସର୍ବେଶ୍ୱର ବ୍ରହ୍ମ, ପ୍ରିୟବ୍ରତ ଗଡନାୟକ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର