ସପ୍ତଶଯ୍ୟା ମହୋତ୍ସବ ୨୪ରୁ

ଢେଙ୍କାନାଳ: ଢେଙ୍କାନାଳ ଦେବାଂଶୀ ଡ୍ୟାନ୍‌ସ ଏକାଡେମୀ ପକ୍ଷରୁ ଆସନ୍ତା ୨୪ ତାରିଖରୁ ଦୁଇ ଦିନିଆ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ଉତ୍ସବରେ ଆନ୍ତର୍ଜାତୀୟ ଓ ଜାତୀୟସ୍ତରୀୟ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ପରିବେଷଣ କରିବେ। ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଦିଲ୍ଲୀର ସଂକଳ୍ପ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଓଡ଼ିଶାର ପ୍ରମୁଖ ନୃତ୍ୟଗୁରୁମାନଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ତାଳବାଦ୍ୟ ‘ବାଦ୍ୟ ବିଚିତ୍ରା’ କେନ୍ଦ୍ରୀୟ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ପରିବେଷିତ ହେବ। ରିୟଲିଟି ସୋ’ ଇଣ୍ଡିଆନ୍‌ ଗଟ୍‌ ଟ୍ୟାଲେଣ୍ଟର ପ୍ରତିଯୋଗୀ ହରିହର ଦାଶ ନୃତ୍ୟ ପରିବେଷଣ କରିବେ। ତା’ ସହିତ ଗାୟିକା ଶୈଳଭାମା ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ସୁସ୍ମିତା ଦାସ ଓ ଅନୁସୂୟା ନାଥ ସଂଗୀତ ପରିବେଷଣ, ଭୁବନେଶ୍ୱର ସୁର ଭାଇବ୍ରେସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଦେବାଂଶୀ ଡ୍ୟାନ୍ସ ଏକାଡେମୀ କଳାକାରମାନେ ‘ବାର ମାସେ ତେର ପର୍ବ’ ଏବଂ ‘ଏଇ ଆମରି ଗାଁ’ ନୃତ୍ୟ ନାଟିକା ମଞ୍ଚସ୍ଥ କରିବେ।

ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ସପ୍ତଶଯ୍ୟା ସମ୍ମାନ ଏବଂ ଗୁରୁ ଧନେଶ୍ୱର ସ୍ୱାଇଁ, ଶୈଳଭାମା ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ସୁସ୍ମିତା ଦାଶ, ଡ. ଜୟଶ୍ରୀ ଧଳ ଓ ହରିହର ଦାଶ ପ୍ରମୁଖ ସମ୍ମାନିତ ହେବ। ସେହିପରି ଅଭିନୟ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଅନିତା ଦାସ, ମିହିର ଦାସ ଏବଂ ଓଡ଼ିଶୀରେ କସ୍ତୁରୀ ପଟ୍ଟନାୟକଙ୍କୁ ସମ୍ମାନିତ କରାଯିବା ସହିତ ଜିଲ୍ଲାରେ କଳା କ୍ଷେତ୍ରରେ ଗୌରବ ଆଣିଥିବା ସଂଗୀତରେ ଅନୁସୂୟା ନାଥ, ନୃତ୍ୟରେ ତାପସୀ ମିଶ୍ର, ନାଟକରେ ଚନ୍ଦନ ମିଶ୍ର, ଚିତ୍ରକଳାରେ ପ୍ରବୀର ମହାନ୍ତି, ସେବାରେ ସୁରେଶ ପଣ୍ଡା ପ୍ରମୁଖ ବ୍ୟକ୍ତି ବିଶେଷ ସମ୍ବର୍ଧିତ ହେବାର କାର୍ଯ୍ୟକ୍ରମ ରହିଛି। ଢେଙ୍କାନାଳ ସାମ୍ବାଦିକ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତତ ସୂଚନା ଦିଆଯାଇଛି। ଦେବାଂଶୀ ଡ୍ୟାନ୍‌ସ ଏକାଡେମୀ ସଭାପତି ଶାନ୍ତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ତଥା ନୃତ୍ୟଶିଳ୍ପୀ ଗୌରୀଶଙ୍କର ଦାସ, ଉପଦେଷ୍ଟା ବସନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର