ଢେଙ୍କାନାଳ ସେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା ମାମଲା: ସଂସ୍ଥାର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ସମେତ ୩ ଗିରଫ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ଢେଙ୍କାନାଳ ସେଲ୍‌ଟର ହୋମ୍‌ ଯୌନ ନିର୍ଯାତନା ମାମଲାରେ ପୁଲିସ ସଂସ୍ଥାର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ପୁଲିସ ‘ଗୁଡ ନ୍ୟୁଜ ଇଣ୍ଡିଆ’ର ମୁଖ୍ୟ ରେହମାନଙ୍କୁ ଫୁଲନଖରା ଅଞ୍ଚଳର ଅନନ୍ତପୁରରୁ ରବିବାର ଗିରଫ କରିଛି। ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକଙ୍କ ସୂଚନା ଅନୁସାରେ ସେଲ୍‌ଟର ହୋମ୍‌ର ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସୀମାଞ୍ଚଳ ନାୟକ ଓ ଉଦିତ୍‌ ଲିମା ମଧ୍ୟ ଗିରଫ ହୋଇଛନ୍ତି। ଆଜି ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଏସ୍‌ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଅାଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ପରେ ସରକାର ଏହା ଉପରେ ଲଗାମ ଲଗାଇଛନ୍ତି । ଏଥିସହ ସରକାର ରାଜ୍ୟର ସମସ୍ତ ବେଆଇନ୍‌ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ବେଆଇନ ଭାବେ ଏହି ସେଲଟର ହୋମ୍‌ ଚାଲିଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍‌ ମୁଖ୍ୟ ଫୟାଜ ରେହମାନ୍‌ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ଢେଙ୍କାନାଳ ସେଲଟର ହୋମ୍‌ ବାବଦରେ ଏପରି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି, ଯାହା ଆପଣଙ୍କୁ ବ୍ୟଥିତ କରିଦେବ ।ଏଥିସହ ସେଲଟର ହୋମକୁ ଆସୁଥିବା ବିଦେଶୀ ଅତିଥିମାନେ ମଧ୍ୟ  ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି  ଅନ୍ତେବାସୀ ।

କିଭଳି କିଶୋରୀ ଓ ଯୁବତୀମାନଙ୍କୁ ଅସଦାଚରଣ କରାଯାଉଥିଲା  ତାର ଗୁମର ଖୋଲିଛନ୍ତି ଅନ୍ତେବାସୀ । ଅଭିଯୋଗର ଛାନଭିନ ପାଇଁ ଢେଙ୍କାନାଳ ଉପଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାରୀ ସେଲଟର ହୋମରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଟାଉନ ଥାନା ମହିଳା ପୁଲିସ ମଧ୍ୟ ସେଲଟର ହୋମରେ ପହଚିଁ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି ।

ସମ୍ବନ୍ଧିତ ଖବର