ଟ୍ରକ୍‌ ଚା‌ଳକଙ୍କୁ ପିଟି ପର୍ସ ଛଡ଼ାଇଲେ 

ଭାପୁର: ଭାପୁର ଫାଣ୍ତି ପୁରୁଣା କଟକ- ସମ୍ବଲପୁର ରାସ୍ତା‌େର ଅଉଖମା ଗାଁ ନିକଟରେ ଆଜି ଅପରାହ୍ଣ ୫ଟାବେଳେ ରାହାଜାନୀ ହୋଇଛି। ୪ ଜଣ ଦୁର୍ବୃତ୍ତ  ଏକ ଟ୍ରକ୍‌(ଓଆର‌୍‌ ୦୫ଏଡି-୯୩୬୪) ଅଟକାଇ ଚାଳକ ବିଦ୍ୟାଧର ସ୍ବାଇଁଙ୍କୁ ମାଡ଼ମାରି ପର୍ସ ଛଡ଼ାଇନେଇଛନ୍ତି। ବିଦ୍ୟାଧରଙ୍କ ଘର କଟକ ଜିଲ୍ଲା ତିଗିରିଆରେ ଓ ଟ୍ରକ୍ ମାଲିକ ମହମ୍ମଦ ମୋତାଲିଙ୍କ ଘର ଏହି ଜିଲ୍ଲା କରଡ଼ାପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି। ଟ୍ରକ୍‌ ମାଲିକ ଏ ସଂପର୍କରେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଫାଣ୍ତି ଅଧିକାରୀ ରବୀନ୍ଦ୍ର ସାହୁ ସଦଳବଳ ପିଛାକରି ୨ ଅଭିଯୁକ୍ତଙ୍କୁ ଏକ ବାର‌୍‌ରୁ ଉଠାଇ ଆଣି ପଚରାଉଚରା ଚଳାଇଛନ୍ତି। ଦୁଇଜଣ ଅଭିଯୁକ୍ତ ଫେରାର‌୍‌ ହୋଇଯାଇଛନ୍ତି। ବିଦ୍ୟାଧରଙ୍କ ପର୍ସରେ ୫୧୨୦ ଟଙ୍କା ଥିଲା ଓ ଅଭିଯୁକ୍ତଙ୍କ ମାଡ଼ରେ ତାଙ୍କ ବାମହାତ ଜଖମ ହୋଇଛି ବୋଲି ଅଭିଯୋଗରୁ ଜଣାପଡ଼ିଛି।  ଏ ସଂପର୍କରେ ପୁଲିସ କହିଛି, ଗାଡ଼ି ଓଭର ଟେକ୍‌କୁ କେନ୍ଦ୍ରକରି ଝଗଡ଼ା ହୋଇଛି। ଅଭିଯୁକ୍ତ ପର୍ସ ଛଡ଼ାଇଛନ୍ତି କି ନାହିଁ ଜଣାପଡ଼ିନାହିଁ। ତଦନ୍ତ ପରେ ସତ୍ୟ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର