ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା : ଜେଲ୍‌ ଗଲେ ଦୁଇ ଶିକ୍ଷକ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସରଖିଆ ଆଶ୍ରମ ବିଦ୍ୟାଳୟର ଜଣେ ୧୨ବର୍ଷୀୟା ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ସଙ୍କର୍ଷଣ ବେହେରା ଓ ସହକାରୀ ଶିକ୍ଷକ ବିକ୍ରମାଦିତ୍ୟ ସାହୁଙ୍କୁ ପୁଲିସ ଗିରଫ କରିଛି। ଉଭୟଙ୍କୁ ଆଜି ବିଚାର ଲାଗି କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା।

ସୂଚନା ମୁତାବକ, ଆଶ୍ରମ ବିଦ୍ୟାଳୟର ପୀଡ଼ିତା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଯାଇଥିବା କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ଗାଁର ପ୍ରେମିକ ଚନ୍ଦନ ପୂର୍ତ୍ତି ଦୁଷ୍କର୍ମ କରି ନାବାଳିକାଙ୍କର ଏଭଳି ଅବସ୍ଥା କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଏଥିରେ ସମ୍ପୃକ୍ତ ଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଥିଲେ। ଏହି ଅଭିଯୋଗର ତଦନ୍ତ କରି ଜିଲ୍ଲା ପ୍ରଶାସନ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲା। ଏବଂ କଙ୍କଡ଼ାହାଡ଼ ଥାନା ପୁଲିସ ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଥିଲା। ପରେ, ସହକାରୀ ଶିକ୍ଷକ ଶ୍ରୀ ସାହୁଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର