ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଉପରେ ଭୋଟରଙ୍କ ଆଖି

ଢେଙ୍କାନାଳ ବିଧାନସଭା କ୍ଷେତ୍ର

ଢେଙ୍କାନାଳ: ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବି ପାଇଁ ୧୧ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ବିତା ହେବ। ଏହି ୩ ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ନିର୍ବାଚନୀ ବୈତରଣୀ ପାର୍ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ଅନ୍ୟ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ ଚଳାଇଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାରକରି ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ କଂଗ୍ରେସ ତା’ର ନୂଆ ନିର୍ବାଚନୀ ଇସ୍ତହାରକୁ ନେଇ ପ୍ରଚାର ଚଳାଇଛି। ସେହିପରି ରାଜ୍ୟର ଜନହିତକର କାର୍ଯ୍ୟକୁ ଭରସା କରି ବିଜେଡି ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି ।
ଢେଙ୍କାନାଳ ସଦର ବ୍ଲକର ୨୧ଟି ପଞ୍ଚାୟତ, ଗଁଦିଆ ବ୍ଲକର ୩୦ଟି ପଞ୍ଚାୟତ, ଢେଙ୍କାନାଳ ମ୍ୟୁନିସିପାଲିଟିର ୨୩ଟି ୱାର୍ଡକୁ ନେଇ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏଠାରୁ ଚଳିତ ଥର ୨ ଲକ୍ଷ ୫୦ ହଜାର ୨୬୦ ଜଣ ଭୋଟର ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ, ବିଜେପିର କୃଷ୍ଣଚନ୍ଦ୍ର ପାତ୍ର, କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ, ସମତାକ୍ରାନ୍ତି ଦଳର ଅକ୍ଷୟ ରାଉତ, ଆମ୍ ଆଦ୍‌ମୀ ପାର୍ଟିର ଆଶିଷ ମିଶ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ ପ୍ରାର୍ଥୀ ପତିତପାବନ ମିଶ୍ର, ହିନ୍ଦୁସ୍ଥାନ ନିର୍ମାଣ ଦଳର ବିକାଶ ନାୟକ, ସୋସିଆଲିଷ୍ଟ ୟୁନିଟ୍ ସେଣ୍ଟର ଅଫ୍ ଇଣ୍ଡିଆ ପ୍ରାର୍ଥୀ ଭଜମନ ରାଉତ, ସ୍ୱାଧୀନ ପ୍ରାର୍ଥୀ ଗୁଡିଆ ଶର୍ମା ଏବଂ ମେଘନାଦ ନନ୍ଦ ନିର୍ବାଚନ ଲଢୁଛନ୍ତି। ୩ ମୁଖ୍ୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଜୋର୍‌ଦାର୍‌ ହେବ ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି।
ଗତ ୩ଟି ନିର୍ବାଚନକୁ ଦେଖିଲେ ୨୦୧୪ ନିର୍ବାଚନରେ ବିଜେଡି ନିଜ ସଂଗଠନ ଆଧାରରେ କ୍ଷମତାକୁ ଆସିଥିବା ବେଳେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେପି ସହ ମେଣ୍ଟକରି ଏବଂ ୨୦୦୯ ନିର୍ବାଚନରେ ଏନସିପି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିଜେଡି କ୍ଷମତାକୁ ଆସିଥିଲା। ଢେଙ୍କାନାଳରେ ୨୦୦୪ ମସିହାରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିଦ୍ୱନ୍ଦ୍ବିତା କରିଥିଲେ ମଧ୍ୟ ସେତେବେଳେ କଂଗ୍ରେସ ପ୍ରାର୍ଥୀ ସୁଧୀର ସାମଲ ବିଜୟ ଟିକା ପିନ୍ଧି ବିଧାୟକ ହୋଇଥିଲେ। ଅନ୍ୟ ୩ଟି ନିର୍ବାଚନରେ ବିଜେଡି ଓ ତାହାର ସମର୍ଥନରେ ଥିବା ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ନବୀନ ନନ୍ଦ ୨୦୦୦ ମସିହାରେ ବିଜେଡି ପ୍ରାର୍ଥୀ ଭାବେ ଗଁଦିଆ ନିର୍ବାଚନ ମଣ୍ଡଳୀରୁ ଏବଂ ୨୦୦୯ ନିର୍ବାଚନରେ ଏନ୍‌ସିପି ପ୍ରାର୍ଥୀ ରୂପେ ବିଜେଡି ସମର୍ଥନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ସେ ୧୯୯୫ ନିର୍ବାଚନ ସମୟରୁ ଗଁଦିଆରେ ନିଜର ସଂଗଠନ ଜାରି ରଖି ଜନତା ଦଳରୁ ପ୍ରାର୍ଥୀ ହୋଇ ହାରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ନନ୍ଦ ବିଜେଡି ଟିକେଟ୍ ନପାଇ ଅସନ୍ତୁଷ୍ଟ ଥିବା ବେଳେ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ନେଇ ଦଳର ଆସ୍ଥା ହରାଇଥିଲେ। ଫଳରେ ଚଳିତ ନିର୍ବାଚନରେ ଶ୍ରୀ ନନ୍ଦ ପୁର୍ନବାର କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଟିକେଟ ପାଇ ଲଢୁଛନ୍ତି। ଗତ ୨୩ ବର୍ଷ ଧରି ଗଁଦିଆ ବ୍ଲକରେ ନିଜର ସଂଗଠନ ଏବଂ ଜନହିତକର କାର୍ଯ୍ୟ ଆଧାରରେ ସେ ଅଞ୍ଚଳବାସୀଙ୍କ ଦ୍ୱାରା ଆଦୃତ ହୋଇ ନିଜର ସ୍ଥିତିକୁ ସୁଦୃଢ କରିଛନ୍ତି। ଜିଲ୍ଲାରେ କଂଗ୍ରେସ ଏକ ପ୍ରକାର ଦୁର୍ବଳ ଅବସ୍ଥାରେ ରହିଥିବାବେଳେ ଶ୍ରୀ ନନ୍ଦ ଏଥିରେ ଯୋଗଦେବା ପରେ ଦଳର କର୍ମୀମାନେ ଚଳଚଞ୍ଚଳ ହେଇଉଠିଛନ୍ତି। କଂଗ୍ରେସ କର୍ମୀ ଏବଂ ନିଜ ସଂଗଠନ କର୍ମୀଙ୍କ ଆଧାରରେ ଗଁଦିଆ ଅଞ୍ଚଳରୁ ସର୍ବାଧିକ ଭୋଟ ହାତେଇବା ପାଇଁ ସେ ଦିନରାତି ଏକକରି ଲାଗିପଡିଛନ୍ତି।
ଚଳିତ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଧୀର କୁମାର ସାମଲ ୨୦୦୦ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ସହ ସେହି ନିର୍ବାଚନରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୦୪ ମସିହାରେ ସେ ରାଜା କେ.ପି. ସିଂହଦେଓଙ୍କ ଆଶୀର୍ବାଦରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଢେଙ୍କାନାଳ ବିଧାୟକ ହୋଇଥିଲେ। ଗତ ଦୁଇବର୍ଷ ହେଲା ସେ ହାତ ଛାଡି ଶଙ୍ଖ ଧରିଥିବା ବେଳେ ଚଳିତ ଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ ସାମଲ କଂଗ୍ରେସ ଛାଡିବା ପରେ ତାଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସହ ବିଜେଡିରେ ସାମିଲ୍ ହୋଇଛନ୍ତି। ସେ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥିବାବେଳେ ଯୁବ ସଂଗଠନକୁ ହାତେଇଥିବାରୁ ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ହେଭିୱେଟ୍ ନେତା ଭାବେ ପରିଚିତ ହୋଇଛନ୍ତି। ସେ ମଧ୍ୟ ନିର୍ବାଚନର ମାହୋଲ ବଦଳାଇ ପାରିବାର ସାମର୍ଥ୍ୟ ରଖିଥିବା ତାଙ୍କ ସମର୍ଥକ ମହଲରେ ଆଲୋଚନା ହେଉଛି। ଶ୍ରୀ ସାମଲ ସଦର ବ୍ଲକ୍‌ରେ ନିଜର ଆଧିପତ୍ୟ ବିସ୍ତାର କରିଥିବାବେଳେ ବର୍ତ୍ତମାନ ଗଁଦିଆ ବ୍ଲକ ଉପରେ ନଜର ପକାଇଛନ୍ତି। ସେଠାରେ ଶ୍ରୀ ନନ୍ଦଙ୍କ ଦୁର୍ଗକୁ ଭାଙ୍ଗି ଯେନତେନ ପ୍ରକାରେ ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାପାଇଁ ମାରାଥନ୍ ଦୌଡ ଚଳାଇଛନ୍ତି।
ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଆରମ୍ଭରୁ ବିଜେପି ସହ ରହି ନିର୍ବାଚନ ଲଢିଆସୁଛନ୍ତି। ୨୦୦୦ ମସିହାରେ ବିଜେଡି ସହ ମେଣ୍ଟ ଥିଲାବେଳେ ସେ ବିଜେପିର ପ୍ରାର୍ଥୀହୋଇ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ପରେ ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ହୋଇ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। କିନ୍ତୁ ଅଳ୍ପ ଭୋଟ ବ୍ୟବଧାନରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଆସୁଥିଲେ ମଧ୍ୟ ଜିତି ପାରୁନଥିଲେ। ଶ୍ରୀ ପାତ୍ର ୧୯୯୫ ନିର୍ବାଚନରେ ଗଁଦିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ହାରିଥିବାବେଳେ ସେବେଠାରୁ ସେଠାରେ ତାଙ୍କର ସଂଗଠନ ରହିଆସିଛି। ବିଜେଡି ଓ କଂଗ୍ରେସରେ ଭିନ୍ନ ଭିନ୍ନ ପ୍ରାର୍ଥୀ ରହି ଆସିଥିବାବେଳେ ଶ୍ରୀ ପାତ୍ର ବିଜେପିର ଅପରିବର୍ତ୍ତିତ ପ୍ରାର୍ଥୀ ଭାବେ ଭୋଟରମାନଙ୍କ ପାଖକୁ ଯାଉଛନ୍ତି। ଦଳବଦଳ ପାଇଁ ଅନେକ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସରେ ସୃଷ୍ଟି ହୋଇଛନ୍ତି। କିନ୍ତୁ ବିଜେପିରେ ଲଗାତର ପ୍ରାର୍ଥୀ ହୋଇ ହାରିବା ସତ୍ତ୍ବେ ଅନ୍ୟ କେହି ପ୍ରାର୍ଥୀ ପାଇଁ ସୁଯୋଗ ନପାଇବାରୁ ଏଥିରେ ମଧ୍ୟ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିଛି। ଯେଉଁଥିପାଇଁ ଭୋଟରମାନଙ୍କ ମତିଗତି ଅଡୁଆ ସୂତା ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି। ୩ ପ୍ରମୁଖ ଦଳର ଏହି ପ୍ରାର୍ଥୀମାନେ ନିଜର ଜୋର୍‌ ପ୍ରଚାର କରୁଥିବା ବେଳେ ଚଳିତ ଥର ନିର୍ବାଚନରେ ଭୋଟର ଦଳକୁ ନୁହେଁ ବ୍ୟକ୍ତିତ୍ୱକୁ ଦେଖି ପ୍ରାର୍ଥୀ ଚୟନ କରିବାର ସମ୍ଭାବନା ଅଧିକ ରହିଥିବା ରାଜନୈତିକ ସମୀକ୍ଷକ ମହଲରୁ ଜଣାଯାଇଛି।

ସମ୍ବନ୍ଧିତ ଖବର