ଢେଙ୍କାନାଳ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ପାରିବାରିକ କଳହରୁ ମହିଳାଙ୍କୁ କିରୋସିନ୍‌ ଢାଳି ନିଆଁରେ ପୋଡି ହତ୍ୟା କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। କୁଲୁ ନାୟକଙ୍କ ସ୍ତ୍ରୀ ସୁଚିତ୍ରା(୨୪) ମୃତକ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାଇ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ୪ ବର୍ଷ ପୂର୍ବରୁ ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ଦାବି ମୁତାବକ ଯୌତୁକ ନ ମିଳିବାରୁ ଶାଶୁ ଘର ଲୋକ ସୁଚିତ୍ରାଙ୍କ ସହ ଝଗଡା କରୁଥିଲେ।

ସୁଚିତ୍ରା ଆତ୍ମହତ୍ୟା କରିଛନ୍ତି ବୋଲି କେହି ଜଣେ ଫୋନ କରି ତାଙ୍କ ଭାଇକୁ କହିଥିଲେ। ମୃତକଙ୍କ ବାପ ଘର ଲୋକ ଆସି ଦେଖଥିଲେ, ସୁଚିତ୍ରାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘର ବାରଣ୍ଡାରେ ପଡିଛି ଏବଂ ତାଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦୁଇ ଜଣ ଦିଅର କେହି ଘରେ ନାହାନ୍ତି। ସୁଚିତ୍ରାଙ୍କୁ କିରୋସିନ୍‌ ଢାଳି ନିଆଁରେ ପୋଡି ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମହିଳାଙ୍କ ଶାଶୁ ଘର ଲୋକେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର