ପ୍ରେମିକାର ସଦ୍ୟଜାତ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କଲା ଯୁବକ

ପ୍ରେମ ପ୍ରତାରଣାଠୁ ବଳିଗଲା ପୁଲିସ୍‌ର ସମ୍ବେଦନହୀନତା

ନ୍ୟାୟ ପାଇବା ଆଶାରେ ମୃତଦେହକୁ ଗତକାଲିଠୁ ଆଜି ସନ୍ଧ୍ୟା ଯାଏ ଘରେ ରଖିଲେ ପରିବାର ଲୋକ
ଏବେ ପୁଲିସ କହୁଛି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ

ଢେଙ୍କାନାଳ : ପ୍ରେମ ପ୍ରତାରଣାଠୁ ବଳିଗଲା ପୁଲିସର ସମ୍ବେଦନହୀନତା। ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରେମିକା ଗର୍ଭରୁ ଜନ୍ମଲାଭ କରିଥିବା ଏକ ସଦ୍ୟଜାତ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରତାରକ ପ୍ରେମିକ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଟିପିଲେଇ ଗାଁ’ରେ। ସବୁଠୁ ପରିତାପର ବିଷୟ ହେଉଛି, ଝିଅ ଘର ଲୋକେ ଏ ନେଇ ସ୍ଥାନୀୟ ସୁରପ୍ରତାପପୁର ଫାଣ୍ଡିରେ ଏକାଧିକ ଥର ଫେରାଦ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ଫଳସ୍ୱରୂପ ନିଜ ପାପ ପ୍ରଣୟକୁ ଲୁଚାଇବାକୁ ଯାଇ ଅଭିଯୁକ୍ତ ଯୁବକ ନିଷ୍ପାପ ଶିଶୁଟିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନ ଥାନା ଟିପିଲେଇ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ନିକଟସ୍ଥ ସୁରପ୍ରତାପପୁର ଗ୍ରାମର ସିଲୁ ସ୍ୱାଇଁ। ବିବାହ ପ୍ରତିଶ୍ରୁତି ଦେଇ ଏକାଧିକ ଥର ଦୈହିକ ସଂପର୍କ ରଖିବାରୁ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ସିଲୁ ଆଉ ଧରାଛୁଆଁ ଦେଇନଥିଲା। ଅସହାୟ ଅବସ୍ଥାରେ ଯୁବତୀ ଜଣକ ନିଜ ବାପ ଘରେ ଗତ ୬ ତାରିଖ ସନ୍ଧ୍ୟାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏ ସଂପର୍କରେ ଯୁବତୀଙ୍କ ବାପା ସୁରପ୍ରତାପପୁର ଫାଣ୍ଡିରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥରକୁ ଥର ଗୁହାରି କରିଥିଲେ ପୁଲିସ ବାବୁଙ୍କୁ। ହେଲେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି। ଏହି ସୁଯୋଗରେ ଅଭିଯୁକ୍ତ ସିଲୁ ଗତକାଲି ସନ୍ଧ୍ୟାରେ ଯୁବତୀଙ୍କ ଘରେ କେହି ନଥିବା ବେଳେ ସେଠାକୁ ଆସି ପ୍ରେମିକାକୁ ଧମକଚମକ ଦେବା ସହ ସଦ୍ୟଜାତ ଶିଶୁକନ୍ୟାର ତଣ୍ଟିଚିପି ଫେରାର ହୋଇ ଯାଇଥିଲା ବୋଲି ଯୁବତୀ ଜଣକ ପ୍ରକାଶ କରିଛନ୍ତି।

ପ୍ରତାରିତା ଯୁବତୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ଗତକାଲିଠାରୁ ଏହି ଘଟଣା ଘଟିଥିଲେ ମଧ୍ୟ ନ୍ୟାୟ ପାଇବା ଆଶାରେ ମୃତ ନବଜାତ ଶିଶୁକୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଘରେ ରଖିଥିଲେ ଯୁବତୀଙ୍କ ପରିବାର। ଏ ସଂପର୍କରେ କାମାକ୍ଷାନଗର ଏସ୍‌ଡିପିଓ ସେକ୍‌ ଅବଦୁଲ କରିମ୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଯେ, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇ ଶିଶୁର ମୃତଦେହ ଜବତ କରାଯାଇଛି। ଅଭିଯୁକ୍ତ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯୁବତୀଙ୍କ ବାପା ବହୁ ପୂର୍ବରୁ ଏ ସଂପର୍କରେ ଅଭିଯୋଗ କରିଥିଲେ ହେଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୁଲିସ? ଶିଶୁକନ୍ୟାର ମୃତ୍ୟୁ ପରେ ପୁଲିସ ଏବେ ନିଜ ଦୋଷ ଢାଙ୍କିବା ପାଇଁ ତତ୍ପରତା ଦେଖାଉଛି ବୋଲି ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର