ଅନୁଗୁଳରେ ବୁଲା କୁକୁର ଆତଙ୍କ, ୫ ମାସରେ ଘାଇଲା ହେଲେଣି ୫ ହଜାର ଲୋକ

ଅନୁଗୁଳ (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ‌ରେ ମାତିଛନ୍ତି ବୁଲା କୁକୁର। ସେମାନଙ୍କ ଆତଙ୍କ‌ରେ ଲୋକ ଥରହର। ଗତ ୫ ମାସ ୧୦ ଦିନରେ କୁକୁର କାମୁଡ଼ାରେ ଆହତ ହୋଇ କେବଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୯୯୧ ଜଣ ଲୋକ ଚିକିତ୍ସିତ ହୋଇଛନ୍ତି। ଅର୍ଥାତ ପ୍ରତି ମାସ ଅନ୍ୟୁନ ୯୩୪ ଲୋକଙ୍କୁ କୁକୁର କାମୁଡ଼ୁଛନ୍ତି। ଜିଲ୍ଲାର ଅନ୍ୟ ସରକାରୀ ଓ ଘରୋଇ ଡାକ୍ତରଖାନାରୁ ହିସାବ ନେଲେ ଏହି ସଂଖ୍ୟା ବହୁତ ବେଶି ହେବ। କୁକୁରଙ୍କ ଯୋଗୁଁ ଦୁର୍ଘଟଣା ବିି ଘଟୁଛି। ବହୁ ଲୋକଙ୍କ ଜୀବନ ଅସମୟରେ ଚାଲିଯାଉଛି। ଏତେସବୁ ସତ୍ତ୍ବେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।

ସୂଚନା ଅନୁସାରେ, ଜାନୁଆରିରେ ୧୦୨୭, ଫେବ୍ରୁଆରିରେ ୧୦୪୪, ମାର୍ଚରେ ୧୦୫୫, ଏପ୍ରିଲରେ ୮୪୧, ମେ ମାସରେ ୭୦୫ ଏବଂ ଜୁନ୍ ୧୦ ତାରିଖ ସୁଦ୍ଧା ୩୧୯ ଜଣ କୁକୁର କାମୁଡ଼ାରେ ଆହତ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ରେକର୍ଡ କହୁଛି। ଜିଲ୍ଲାର ବିଭିନ୍ନ ଅଂଚଳ ଅପେକ୍ଷା ଅନୁଗୁଳ ସହରରେ ବୁଲା କୁକୁରଙ୍କ ଉତ୍ପାତ ବେଶି ରହିଛି। ସହରର ଗଳିକନ୍ଦିରେ ଦଳ ଦଳ ହୋଇ ବୁଲା କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ଲୋକଙ୍କ ଆକଳନ ଅନୁସାରେ, ସହରରେ ବୁଲା କୁକୁରଙ୍କ ସଂଖ୍ୟା ୨୫୦୦ ଟପି‌ ଯାଇପାରେ। ଦିନ ହେଉ କି ରାତି, ସବୁ ବେଳେ କୁକୁରଙ୍କ ଭୟ ରହୁଛି। ଅବଶ୍ୟ ରାତି ସମୟରେ ଏମାନଙ୍କ ଉତ୍ପାତ ବେଶି। ଅନୁଗୁଳ ସହରର ପିଟିସି ଛକ, ମାଛ ମାର୍କେଟ ଛକ, ହୁଲୁରିସିଂହା ଛକ, ଟାଉନ୍‌ ହାଇସ୍କୁଲ ଛକ, କଲେଜ ଛକ, ଲକ୍ଷ୍ମୀବଜାର, ବସଷ୍ଟାଣ୍ଡ, ରେଳ ଷ୍ଟେସନ ରାସ୍ତା, ଇକୋ ପାର୍କ ଛକ, ଇଣ୍ଡଷ୍ଟ୍ରି ଛକ ଓ ଆଖପାଖରେ କୁକୁରମାନଙ୍କ ବେଶି ଉତ୍ପାତ ଦେଖିବାକୁୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଠେଲା, ଚିକେନ ସେଣ୍ଟର, ଫାଷ୍ଟ ଫୁଡ ଦୋକାନ ଆଦି ପାଖରେ ବୁଲା କୁକୁରମାନେ ଭିଡ଼ ଜମାଉଛନ୍ତି।

ଚଳିତ ମାସ ଅନୁଗୁଳ ସହର ହେମସୁରପଡ଼ାର ରିତେଶ ସାହୁ(୧୦), ସଞ୍ଜୟ ଝା(୩୫), ମାଳତି ବିହାରର ଅନୁଭବ ନାଏକ(୯), କଲେଜ୍‌ ଛକ ମାନିନୀ ପ୍ରଧାନ(୧୭), ତାମ୍ରିତ କଲୋନିର ପ୍ରଜ୍ଞା ପରମିତା ଦାଶ(୧୯), ମିଶ୍ରପଡ଼ାର ବିରଜା ପ୍ରସନ୍ନ ହୋତା(୨୯), ଶିକ୍ଷକ ପଡ଼ାର ସାଗରିକା ବିଶ୍ବାଳ(୨), ବୈକୁଣ୍ଠ ନାଏକ, ଛେଣ୍ଡିପଦାର ସୁରମଣୀ ଦେହୁରୀ(୬୫), ସମଲର ପ୍ରମିଳା ବେହେରା(୫୯), ଖମାର ଅଞ୍ଚଳର ରଜଡିଆ ଗ୍ରାମର ମୋନାଲିସା ସାହୁ(୧୦) ପ୍ରମୁଖଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନେ ସ୍ବତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅନୁଗୁଳ ପୌରପରିଷଦ ଦ୍ୱାରା କୁକୁର ଧରା ଅଭିଯାନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି। ବନ୍ଧ୍ୟାକରଣ ବ୍ୟବସ୍ଥା ନଥିବାରୁ ସହରରେ ଦିନକୁ ଦିନ ବୁଲା କୁକୁର ସଂଖ୍ୟା ବଢିବାରେ ଲାଗିଛି। ଅନେକ ସମୟରେ କୁକୁରମାନଙ୍କ ଯୋଗୁଁ ଦୁର୍ଘଟଣା ବି ଘଟୁଛି। ଏହା ସ‌େତ୍ତ୍ବ ପୌର ପରିଷଦ ପକ୍ଷରୁ ବୁଲା ଓ ପାଗଳ କୁକୁର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉନାହିଁ। କୁକୁର ଆତଙ୍କରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଦାବି ହେଉଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ରେ କୁକୁର କାମୁଡ଼ା ରୋଗୀ ସଂଖ୍ୟା
କ୍ର.ନ- ମାସ-ରୋଗୀ ସଂଖ୍ୟା- ଗୁରୁତର ସଂଖ୍ୟା -ସ୍ବତନ୍ତ୍ର ଚିକିତ୍ସା
୧) ଜାନୁଆରି -୧୦୨୭ -୧୨୩ -୦
୨)ଫେବ୍ରୁଆରି -୧୦୪୪- ୧୫୫- ୦
୩) ମାର୍ଚ୍ଚ- ୧୦୫୫- ୮୯ -୧
୪) ଏପ୍ରିଲ୍‌- ୮୪୧- ୯୭- ୫
୫) ମେ- ୭୦୫- ୫୫ -୬
୬) ଜୁନ୍‌ ୧୦ ଯାଏଁ ୩୧୯- ୨୯- ୪
ମୋଟ- ୪୯୯୧- ୫୪୮-୧୬

ସମ୍ବନ୍ଧିତ ଖବର